କୋଭିଡ-୧୯ ତୃତୀୟ ଲହରକୁ ମୁକାବିଲା ଲାଗି ୨୦ ହଜାର କୋଟି ପ୍ୟାକେଜ

ନୂଆଦିଲ୍ଲୀ : କୋଭିଡ-୧୯ ତୃତୀୟ ଲହରକୁ ମୁକାବିଲା ଲାଗି କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କାର ଜରୁରିକାଳୀନ ପ୍ୟାକେଜ ପ୍ରସ୍ତୁତ କରୁଥିବା ଜଣାଯାଇଛି । ତୃତୀୟ ଲହରର ପ୍ରଭାବ ହ୍ରାସ କରିବା ପାଇଁ ଏହି ପ୍ୟାକେଜ ସହାୟକ ହେବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ଅର୍ଥ ମନ୍ତ୍ରଣାଳୟ ଏହି ପ୍ୟାକେଜ ପ୍ରସ୍ତୁତିରେ ଲାଗିଛନ୍ତି ଏବଂ ତାହା କ୍ୟାବିନେଟ ଅନୁମୋନ ଲାଭ କରିବାପରେ ଘୋଷଣା କରାଯିବ । ପ୍ୟାକେଜରେ ବ୍ୟବସ୍ଥା କରାଯାଉଥିବା ଅର୍ଥକୁ ସ୍ୱତନ୍ତ୍ର କୋଭିଡ ଚିକିତ୍ସା ସୁବିଧାରେ ଉନ୍ନତି ସାଧନ, ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି, ଅତ୍ୟାବଶ୍ୟକ ଔଷଧ ଓ ଉପକରଣ ଖରିଦ, ଜାତୀୟ ଓ ରାଜ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ଅଧିକ ସଂଖ୍ୟାରେ ଲାବୋରେଟୋରୀ ଓ ପରୀକ୍ଷଣ କେନ୍ଦ୍ର ସ୍ଥାପନ ଦିଗରେ ବିନିଯୋଗ କରାଯିବ ।