ମହାତ୍ମା ଅବଧୂତ(ଦତ୍ତାତ୍ରେୟ ) କହୁଛନ୍ତି, ହେ ରାଜନ୍ ! ସମୁଦ୍ର ମୋର ଦଶମ ଗୁରୁ ଅଟନ୍ତି । ମୁଁ ତାଙ୍କଠାରୁ ସମତା ଗୁଣର ଶିକ୍ଷା କରିଛି । ମନୁଷ୍ୟର ଚିତ୍ତ ସର୍ବଦା ଚଞ୍ଚଳ ଓ ହୃଦୟରେ ଭୟ ଆଶଙ୍କା ପୂର୍ଣ୍ଣ ହୋଇଥାଏ । ଧନ ସଂପତ୍ତି , ପ୍ରତିଷ୍ଠା ପାଇଲେ ଗର୍ବରେ ଫୁଲିଉଠେ । ଆଉ ଅଭାବ ଓ ଦୁଃଖ ସମୟରେ ଭାଙ୍ଗି ପଡେ । କିନ୍ତୁ ସମୁଦ୍ର ସର୍ବଦା ପ୍ରସନ୍ନ ଓ ଗମ୍ଭୀର । ବର୍ଷାଦିନେ ନଦୀ ମାନଙ୍କର ବନ୍ୟାଜଳ ଦ୍ଵାରା ପୂର୍ଣ୍ଣ ହୁଏ ନାହିଁ କିମ୍ବା ଗ୍ରୀଷ୍ମ ଦିନରେ ସୂର୍ଯ୍ୟତାପରେ ବାଷ୍ପୀଭୂତ ହୋଇ କମିଯାଏ ନାହିଁ । ସେ ତାର ମର୍ଯ୍ୟାଦା ଲଙ୍ଘନ ନ କରି ସମତାକୁ ବଜାୟ ରଖିଥାଏ ।
ଏହିପରି ଆତ୍ମପିପାସୁ ଜନ ଧନ, ସମ୍ପତ୍ତି, ପ୍ରଶଂସା, ସମୃଦ୍ଧି ସୁଖରେ ବିହ୍ୱଳ ଓ ଦୁଃଖରେ କାତର ନ ହୋଇ ସର୍ବଦା ଅବିଚଳିତ ସମ ଅବସ୍ଥାରେ ସମୁଦ୍ର ପରି ରହିବା ଉଚିତ୍ । ତେଣୁ ସମୁଦ୍ରଙ୍କ ଠାରୁ ଏହି ଶିକ୍ଷା ପାଇ ତାଙ୍କୁ ଗୁରୁ ରୂପରେ ସ୍ବୀକାର କରିଛି ।
ଓଡ଼ିଆ ଭାଗବତ ରୁ ଦୁଇପଦ:-
“କେ ଜାଣି ପାରେ ମୋ ଉଦର । ଯେସନେ ଗଭୀର ସାଗର ।।
ସେ ରୂପେ ଜାଣ ମୁହିଁ ମନେ । ହାନି ବୃଦ୍ଧି ଭାବ ନ ଘେନେ ।।
ଏ ଭାବେ ଥାନ୍ତି ଯେତେ ପ୍ରାଣୀ । ସଂସାର ପାରନ୍ତି ସେ ଜିଣି ।।
ଏଣୁ ସମୁଦ୍ର ଦୀକ୍ଷା ପାଇ । ସାଧଇ ଶିଷ୍ୟ ଭାବ ବହି ।।