ଦିଲ୍ଲୀ: ଦିଲ୍ଲୀ କୋର୍ଟ ମାମଲାର ଶୁଣାଣି କରି ଶଶୀଙ୍କୁ ଦୋଷମୁକ୍ତ କରିଛନ୍ତି । ବହୁଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶୀ ଥରୁର ଦୋଷମୁକ୍ତ ହୋଇଛନ୍ତି । ଗତ ଏପ୍ରିଲ ୨୬ ତାରିଖରେ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
ସୂଚନା ଥାଉକି, ଗତ ମାର୍ଚ୍ଚ ୨୬ ତାରିଖରେ ଶଶୀ ଥରୁର କହିଥିଲେ କି ଯଦି ଆତ୍ମହତ୍ୟା କରିବା ଘଟଣା ପ୍ରମାଣିତ ହୋଇନାହିଁ ତେବେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ଅଭିଯୋଗ ଭିତ୍ତିହୀନ। ପୂର୍ବରୁ ଶଶୀଙ୍କ ଓକିଲ ତାଙ୍କୁ ଦୋଷମୁକ୍ତ କରିବା ପାଇଁ ଦାବି କରିଥିଲେ। ସେ କୋର୍ଟକୁ କହିଥିଲେ କି, ସୁନନ୍ଦାଙ୍କୁ ମାନସିକ ଓ ଶାରୀରିକ ଭାବେ ଥରୁର କୌଣସି ନିର୍ଯାତନା ଦେଇନାହାନ୍ତି। ଏପରିକି ସୁନନ୍ଦାଙ୍କ ସମ୍ପର୍କୀୟଙ୍କ ବୟାନରୁ ଏହା ସ୍ପଷ୍ଟ ହେଉଛି କି ସେ ଆତ୍ମହତ୍ୟା କରିନପାରନ୍ତି। ତାଙ୍କ ସମ୍ପର୍କୀୟ ଶଶୀଙ୍କ ଉପରେ କୌଣସି ଅଭିଯୋଗ ଲଗାଇ ନଥିଲେ।
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଗତ ୧୪ ମେ’ ୨୦୧୮ରେ ଦିଲ୍ଲୀ ପୁଲିସ ଅଭିଯୋଗ ପତ୍ର ଦାଖଲ କରିଥିଲା। ଯେଉଁଥିରେ ଶଶୀ ଥରୁରଙ୍କୁ ଦୋଷୀ ବୋଲି ଦର୍ଶାଇଥିଲା ପୁଲିସ। ଏପରିକି ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୮୯(ଏ) ଓ ୩୦୬ ଭଳି ଦଫା ଲଗାଯାଇଥିଲା। ଏହାସହ ଅଭିଯୋଗରେ ଏହା ମଧ୍ୟ କୁହାଯାଇଥିଲା କି, ସୁନନ୍ଦାଙ୍କ ମୃତ୍ୟୁ ବିବାହର ୩ ବର୍ଷ ୩ ମାସ ପରେ ହୋଇଥିଲା। ଉଭୟଙ୍କ ବିବାହ ୨୨ ଅଗଷ୍ଟ ୨୦୧୦ ହୋଇଥିଲା। ସୂଚନା ଥାଉକି, ୨୦୧୪ ଜାନୁଆରୀ ୧୭ ତାରିଖରେ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ଏକ ହୋଟେଲରେ ହୋଇଥିଲା। ତାଙ୍କ ମୃତ୍ୟୁର କିଛିଦିନ ପୂର୍ବରୁ ସୁନନ୍ଦା ଅଭିଯୋଗ କରିଥିଲେ କି ତାଙ୍କ ସ୍ୱାମୀ ଶଶୀ ଥରୁରଙ୍କ ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ସହ ଅନୈତିକ ସମ୍ପର୍କ ରହିଛି।