ନୂଆଦିଲ୍ଲୀ: ୯୦ ମିନିଟରେ ଜଣା ପଡିବ କୋଭିଡ୍-୧୯ ପରୀକ୍ଷଣର ଫଳାଫଳ। କୋଭିଡ୍-୧୯ ଚିହ୍ନଟ କରିବାକୁ ଟାଟା ଗ୍ରୁପ୍ ଏକ ନୂତନ ପରୀକ୍ଷା କିଟ୍ ଲଞ୍ଚ କରିଛି। ନାକରୁ ସ୍ୱାବ୍ ସଂଗ୍ରହ କରି ଏହି କିଟ୍ରେ ପରୀକ୍ଷା କଲେ ମାତ୍ର ୯୦ ମିନିଟରେ ଜଣାପଡ଼ିଯିବ ଜଣେ ବ୍ୟକ୍ତି କୋଭିଡ୍-୧୯ ସଂକ୍ରମିତ କି ନୁହେଁ। ଟାଟା ଗ୍ରୁପ୍ ଏବଂ ଭାରତ ସରକାରଙ୍କ ପକ୍ଷରୁ ମିଳିତ ଭାବରେ ଏହି ପରୀକ୍ଷା କିଟ୍କୁ ବିକଶିତ କରାଯାଇଛି। ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା ଅପେକ୍ଷା ଏହି କିଟ୍ ଦ୍ୱାରା ହୋଇଥିବା ପରୀକ୍ଷା ସଠିକ ବୋଲି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଟାଟାଏମଡି ଚେକ୍ ନାମରେ ନାମିତ ଏହି ଉତ୍ପାଦ ଘରୋଇ ବଜାର ଉପରେ ପ୍ରାଥମିକ ଧ୍ୟାନ ଦିଆଯିବା ସହିତ ଆସନ୍ତା ମାସରୁ ଡାକ୍ତରଖାନା ଏବଂ ଲାବୋରେଟୋରି ମାଧ୍ୟମରେ ଏହାର ବିକ୍ରି ହେବ ବୋଲି ସିଇଓ କୃଷ୍ଣମୂର୍ତ୍ତି କହିଛନ୍ତି। ବର୍ତ୍ତମାନ ଚେନ୍ନାଇ ସ୍ଥିତ ଟାଟା ମେଡିକାଲ୍ ଏବଂ ଡାଇଗ୍ନୋଷ୍ଟିକ୍ସ ପ୍ଲାଣ୍ଟରେ ମାସକୁ 1 ମିଲିୟନ୍ ଏହି କିଟ୍ ଉତ୍ପାଦନ ଆରମ୍ଭ କରାଯିବ। ଏହାର ଉତ୍ପାଦନ ସଂଖ୍ୟା ଆଗାମୀ ଦିନରେ ଦ୍ରୁତ ଗତିରେ ବୃଦ୍ଧି କରାଯିିବ ବୋଲି ସିଇଓ ଗିରିଶ କୃଷ୍ଣମୂର୍ତ୍ତି ସୂଚନା ଦେଇଛନ୍ତି ।