ତୁର୍କୀରେ ପ୍ରକୃତିର ତାଣ୍ଡବ ଲୀଳା ,ଚାଲିଗଲା ୧୯ ଜୀବନ

ନୂଆଦିଲ୍ଲୀ: ତୁର୍କୀରେ ପ୍ରକୃତିର ତାଣ୍ଡବ ଲୀଳା । ଭୂମିକମ୍ପ ସହ ମାଡ଼ି ଆସିଲା ସୁନାମୀ । ମୁହୂର୍ତ୍ତକ ମଧ୍ୟରେ ମରୁଭୂମି ପାଲଟିଗଲା ଜନଗହଳୀ ପୂର୍ଣ୍ଣ ନଗରୀ । ଗତ ଶୁକ୍ରବାର ଅପରାହ୍ମରେ ତୁର୍କୀ ଓ ଗ୍ରୀସ ସୀମାରେ ଏଭଳି ଭାବେ ତାଣ୍ଡବ ରଚିଥିଲା ପ୍ରକୃତି। ଭୂକମ୍ପର କଂପନ ଏତେ ଭୟଙ୍କର ରହିଥିଲା ଯେ ବଡ ବଡ ଅଟାଳିକା ନିମିଷକ ମଧ୍ୟରେ ତାସ ଘର ପରି ମାଟିରେ ମିଶିଯାଇଥିଲା ।

ତେବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ଥିବା ରହିଥିବା ବେଳେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଏଜିୟନ ସାଗର ବୋଲି ଜଣାପଡ଼ିଥିବା ବେଳେ ପ୍ରକୃତିର ଏହି ଲୋମଟାଙ୍କୁରା ଦୃଶ୍ୟ ବର୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । ଘଟଣାକୁ ଆଜିକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଅନେକ ଲୋକ ଭୁଶୁଡି ପଡିଥିବା ବିଲ୍ଡିଂ ତଳେ ଚାପି ହୋଇରହିଥିବା ମଧ୍ୟ ସୂଚନା ମିଳିଛି । ତୁର୍କୀରେ ଭୂମିକମ୍ପ ଏବଂ ସୁନାମି କାରଣରୁ ବର୍ତ୍ତମାନ ସୁଦ୍ଧା ୯୩ ଜଣଙ୍କର ପ୍ରାଣହାନି ଘଟିବା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହା ବ୍ୟତିତ ଗ୍ରୀସରେ ମଧ୍ୟ ଭୂକମ୍ପ ପ୍ରଭାବରେ ୧୯ ଲୋକଙ୍କ ଜୀବନ ଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଦୀର୍ଘ ୬୫ ଘଣ୍ଟା ପରେ ଉଦ୍ଧାର ହେଲା ଇସ୍ତାନବୁଲରେ ୩ ବର୍ଷର ଝିଅ ।ଭଙ୍ଗା କୋଠା ତଳେ ଚାପି ରହିବା ସତ୍ତ୍ୱେ ବଞ୍ଚିଯାଇଛି ଜଣେ ୩ ବର୍ଷୀୟ ଶିଶୁ । ଇସ୍ତାନବୁଲ ଅଗ୍ନିଶମ ବିଭାଗ ଅଧିକାରୀ ମୁଆମେର ସେଲିକ ବାଳିକାକୁ ଉଦ୍ଧାର କରିଛନ୍ତି । ଶିଶୁଟି ନୀର୍ଜିବ ଭାବରେ ପଡିରହିଥିବା ବେଳେ ସେଲିକ ଶିଶୁକୁ ବ୍ୟାଗରେ ଭର୍ତ୍ତି କରିବାକୁ ଯାଉଥିଲେ । କିଛି ଚମମତ୍କାର ଘଟିଲା । ହଠାତ ଶିଶୁଟି ସେଲିକଙ୍କ ଆଙ୍ଗୁଠିକୁ ଧରିଥିଲା । ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ସମାନ ଢଙ୍ଗରେ ଗତକାଲି ଜଣେ ୧୪ ବର୍ଷୀୟା ବାଳିକାକୁ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ । ଦୀର୍ଘ ୫୬ ଘଣ୍ଟା ଧରି ଏକ କୋଠାର ଭଗ୍ନାବଶେଷ ତଳେ ରହିବା ପରେ ବାଳିକାକୁ ସୋମବାର ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଭଗ୍ନାବଶେଷ ତଳୁ ପ୍ରାୟ ୨୨୦ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଶକ୍ତିଶାଳୀ ଭୂମିକମ୍ପର ଦୀର୍ଘ ୩୩ ଘଂଟା ପରେ ତଥା ରବିବାର ଦିନ ପଶ୍ଚିମ ତୁର୍କୀରେ ଥିବା ଏକ କୋଠାର ଧ୍ୱଂସାବଶେଷ ତଳୁ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କୁ ଜୀବିତ ବାହାର କରିଛନ୍ତି ଉଦ୍ଧାରକାରୀ ଦଳ । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଏବେ ସେ ସୁସ୍ଥ ଥିବା ଜଣାପଡିଛି । ଆଶ୍ଚର୍ଯ୍ୟକର ବିଷୟ ହେଉଛି ଭୂମିକମ୍ପର ପ୍ରାୟ ୩୩ ଘଂଟା ଧରି ଅହମ୍ମଦ୍ ସିତିମ୍ ୨୦ ମହଲା ବିସିଷ୍ଟ ଏକ କୋଠାର ଧ୍ୱଂସାବଶେଷ ତଳେ ଫଶି ରହିଥିଲେ । ଏଥିପାଇଁ ଉଦ୍ଧାରକାରୀ ଦଳଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କ ଯୋଗୁଁ ସେ ନୂଆ ଜୀବନ ପାଇଥିବା ମଧ୍ୟ କହିଛନ୍ତି ଅହମ୍ମଦ।