ଭାରତରେ ଆଦି ମାନବ କେବେ ପାଦ ପକାଇଥିଲା? ତା’ର ଇତିହାସ ଜାଣି ପାରିଛନ୍ତି ଆମ ଗବେଷକ । ନିକଟରେ ପ୍ରକାଶିତ ଏକ ପ୍ରତ୍ନତାତ୍ୱିକ ରିପୋର୍ଟରେ ପ୍ରକାଶ ପାଇଛି, ଆଜକୁ ପ୍ରାୟ ୬୫ ହଜାର ବର୍ଷ ତଳେ ଆଫ୍ରିକାରେ ବିଚରଣ କରୁଥିବା ଆଦି ମାନବ ପ୍ରଥମେ ଭାରତରେ ପ୍ରବେଶ କରିଥିଲେ । ସେମାନେ ଆରବ ସାଗର ଲଙ୍ଘନ କରି ଭାରତର ମଧ୍ୟପ୍ରଦେଶରେ ବସବାସ ଆରମ୍ଭ କରିଥିଲେ ।
ଆଫ୍ରିକା ଜଙ୍ଗଳରେ ସେମାନେ ପଶୁ ଶିକାର କରି ଜୀବନ କାଟୁଥିଲେ । ମାତ୍ର ଭାରତରେ ପ୍ରବେଶ କରିବା ପରେ ସେମାନଙ୍କ ବଂଚିବାର ଶୈଳୀ ବଦଳି ଯାଇଥିଲା । ସେମାନେ ବାରବୁଲା ଜୀବନ ଯାପନ ଛାଡ଼ି ସ୍ଥାୟୀ ବସବାସ କରିବାକୁ ମନ ବଳାଇଲେ । ନଦୀକୂଳରେ ଚାଷବାସ କରି ଦିନ କଟାଇବା ପ୍ରତି ଆଗ୍ରହୀ ହେଲେ । ଐତିହାସିକମାନେ ମଧ୍ୟପ୍ରଦେଶର କେତୋଟି ଅଂଚଳରୁ ସଂଗୃହୀତ ପୁରାତନ ସାମଗ୍ରୀକୁ ପରୀକ୍ଷା କରିବା ପରେ ଏହି ବିଷୟ ଜାଣିବାକୁ ପାଇଛନ୍ତି । ବିଶେଷ କରି ଦକ୍ଷିଣ ଭାରତରେ ବସବାସ କରୁଥିବା ଲୋକମାନଙ୍କୁ ଭାରତର ମୂଳବାସିନ୍ଦା ରୂପେ ବିବେଚନା କରାଯାଉଛି ।
ପାକିସ୍ତାନର ବେଲୁଚିସ୍ତାନ ଅଂଚଳରୁ ମିଳିଥିବା କିଛି ଶିଳାଲେଖକୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି, ଖ୍ରୀଷ୍ଟପୂର୍ବ ୭୦୦୦ରୁ ୨୫୦୦ ଭିତରେ ତିଷ୍ଠି ରହିଥିବା ଲୋକମାନେ ପଶୁପାଳନ, ଗହମ ଓ ବାର୍ଲି ଚାଷ କରୁଥିଲେ ଓ ପଟ୍ଟଚିତ୍ର ଆଙ୍କିବା ଜାଣିଥିଲେ । ଦକ୍ଷିଣ ଭାରତର ପିକ୍ଲିହାଲ ଓ ହାଲ୍ଲୁର ଅଂଚଳରୁ ସଂଗୃହୀତ ଶିଳାଲେଖକୁ ଯାଂଚ କରିବାରୁ ଜଣାପଡେ଼, ସେଠାକାର ଆଦିବ ଅଧିବାସୀ ଯଅ, ବାଜରା, ବୁଟ, ହରଡ଼, ଚିନାବାଦାମ ଚାଷ କରୁଥିଲେ । ଗୋପାଳନ, ଛେଳିମେଣ୍ଢା କୁକୁଡ଼ା ପାଳନ କରୁଥିଲେ । ପଥରକୁ ଚିକ୍କଣ କରି ଦୈନନ୍ଦିନ କାମରେ ବ୍ୟବହାର କରୁଥିଲେ ।