କେଶ ଝଡ଼ିବା ଆଜିକାଲି ଏକ ମାମୁଲି ସମସ୍ୟା । ନିଦ ଭାଙ୍ଗିଲା ମାତ୍ରେ ସକାଳୁ ତକିଆ ଉପରେ ଟିକେ ଆଖି ପକାଇ ଦିଅନ୍ତୁ । ମୁଣ୍ଡ ଧୋଇବା ପରେ ଗାଧୁଆ ଘରୁ ବୋହି ଯାଉଥିବା ପାଣି ଉପରେ ଭାସି ଯାଉଥିବା କେଶ ଉପରେ ଦୃଷ୍ଟି ପକାଇ କେବେ ବ୍ୟସ୍ତ ଅନୁଭବ କରିଛନ୍ତି । କେଶ ଝଡ଼ିବା ବନ୍ଦ କରିବେ କିପରି?
ପୁରୁଷଙ୍କ କଥା ନିଆରା । ମାତ୍ର ମହିଳାଙ୍କ ପକ୍ଷରେ କେଶ ଝଡ଼ିବା ସାମାନ୍ୟ ଘଟଣା ନୁହେଁ । ମହିଳାଙ୍କୁ ସୁନ୍ଦର ଓ ଆକର୍ଷଣୀୟ କରି ଗଢ଼ି ତୋଳିଥାଏ କେଶ । କେଶକୁ ସୁସ୍ଥ, ମଜଭୁତ ଓ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଶ୍ଚିତ ଭାବେ ଜରୁରୀ । ସୁସ୍ଥ, ନିରୋଗ ଓ ଶକ୍ତିଶାଳୀ ଦିଶିବା ପାଇଁ ଶରୀରକୁ ଯେଭଳି ଭିଟାମିନ ଯୁକ୍ତ ଖାଦ୍ୟ ଜରୁରୀ । କେଶକୁ ସୁସ୍ଥ, ମଜଭୁତ, ଘନକଳା, ଗହଳ, ଆକର୍ଷଣୀୟ କରିବା ପାଇଁ ଆପଣଙ୍କୁ ନିୟମିତ ଖାଦ୍ୟପେୟ ଭିତରେ କିଛି ଅତିରିକ୍ତ ପନିପରିବା ଓ ଫଳମୂଳ ଖାଇବାକୁ ପଡ଼ିବ ।
କେଶ ଝଡ଼ିବାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ପ୍ରଚୁର ପରିମାଣର ଲୌହସାରଯୁକ୍ତ ପନିପରିବା, ଫଳମୂଳ ଖାଇବାକୁ ପଡ଼ିବ । ଶରୀରରେ ଲୌହସାର ଅଭାବ କାରଣରୁ କେଶ ଝଡ଼ିବା ସହିତ ମାସିକ ଋୁତୁଧର୍ମରେ ଅନିୟମିତତା ହୋଇଥାଏ । କେଶ ଝଡ଼ିବାରୁ ରକ୍ଷା ପାଇବାକୁ ହେଲେ ଆପଣଙ୍କୁ ବାୟୋଟିନ୍ ଯୁକ୍ତ ଖାଦ୍ୟ ସେବନ କରିବାକୁ ପଡ଼ିବ । ବି-କମ୍ପେ୍ଲକ୍ସ ଭିଟାମିନ କେଶକୁ ଗହଳିଆ, ଘନକଳା କରିଥାଏ । ଅଣ୍ଡା, ଚିନାବାଦାମ ପ୍ରଭୃତିରୁ ପ୍ରଚୁର ପରିମାଣର ବାୟୋଟିନ୍ ମିଳିଥାଏ ।
ଭିଟାମିନ୍ ଡି ଅଭାବରୁ କେଶ ପତଳା, ଝଡ଼ିବା ଭଳି ସମସ୍ୟା ଦେଖାଦିଏ । ଚର୍ବିଯୁକ୍ତ ମାଛ, ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରୁ ଆପଣଙ୍କୁ ପ୍ରଚୁର ପରିମାଣର ଭିଟାମିନ୍ ଡି ମିଳିପାରିବ । ଭିଟାମିନ୍ ଡି ଉଭୟ କେଶ ଓ ଶରୀର ପାଇଁ ଜରୁରୀ । ଶରୀରରେ ଜିଙ୍କ ଅଭାବ ହେଲେ, କେଶ ଝଡ଼ିବା ଓ ଉପୁଡ଼ିବା ଭଳି ସମସ୍ୟା ଦେଖାଦିଏ । ଗାଜର, ବିଟ୍, ଚିକେନ୍, ଓୟେଷ୍ଟର, ଗୋମାଂସ ପ୍ରଭୃତି ଜିଙ୍କଯୁକ୍ତ ଖାଦ୍ୟ ସେବନ କଲେ, ଶରୀର ଓ କେଶ ଆକର୍ଷଣୀୟ ଦିଶିବ ।
ଶରୀରରେ ଲୋହିତ ରକ୍ତକଣିକା ଅଭାବ ହେଲେ ରକ୍ତରେ ଅମ୍ଳଜାନ ମାତ୍ରା କମିଯିବ, ତା’ର ପ୍ରଭାବରୁ କେଶ ଝଡ଼ିବାର ଆଶଙ୍କା ରହିଛି । କମ୍ ସମୟ ଭିତରେ ହାଲିଆ ଅନୁଭବ କରିବେ । ପ୍ରଚୁର ପରିମାଣର ମାଛମାଂସ ଓ ଅଣ୍ଡା ସେବନ କରନ୍ତୁ । ବିଶେଷ କରି ଭିଟାମିନ୍ ବି୧୨ ଯୁକ୍ତ ଫଳମୂଳ ସେବନ କରନ୍ତୁ ।