କପିଳେନ୍ଦ୍ର ଦେବ (୧୪୩୫ – ୧୪୬୫ ଖ୍ରୀଷ୍ଟାବ୍ଦ) ଓଡ଼ିଶାର ଜଣେ ଗଜପତି ମହାରାଜା ଥିଲେ ତଥା ଓଡ଼ିଶା ଭୂଖଣ୍ଡର ପ୍ରତିଷ୍ଠାତା ଥିଲେ । ସେ ସୂର୍ଯ୍ୟ ବଂଶର ପ୍ରଥମ ନରପତି ଥିଲେ । ସେ ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ତ୍ରିଚିନାପଲ୍ଲିନିକଟରେ ଥିବା ଗୋଦାବରୀ ଯାଏଁ ଅଞ୍ଚଳ ଅଧୀକାର କରିଥିଲେ ଓ “ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର ଉପାଧୀ” ଧାରଣ କରିଥିଲେ ।
ଶାସନକାଳ
କପିଳେନ୍ଦ୍ର ଦେବ ୧୪୩୫ ରୁ ୧୪୬୫ ଖ୍ରୀଷ୍ଟାବ୍ଦ ଯାଏଁ ଶାସନ କରିଥିଲେ । ୧୪୫୯ରୁ ୧୪୬୦ ଖ୍ରୀଷ୍ଟାବ୍ଦ ଭିତରେ ସେ ଦାମୋଦରପୁର ଓ ଗୋପିନାଥପୁର ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ ।କପିଳେନ୍ଦ୍ର ଗଙ୍ଗ ବଂଶର ଶାସନର (୪୯୮ ରୁ ୧୪୩୫ ଖ୍ରୀଷ୍ଟାବ୍ଦ) ଅନ୍ତେ ସୂର୍ଯ୍ୟବଂଶର ପ୍ରତିଷ୍ଠା କରି ଶାସନ ଆରମ୍ଭ କରିଥିଲେ I ସେ ଓ ତାଙ୍କ ପରର ବଂଶଧରମାନେ ସଂସ୍କୃତର ପ୍ରସାର କରିଥିଲେ ।ତାହାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷା ସାହିତ୍ୟର ସାରଳା ଦାସ ଆଦି କବିଙ୍କର ସାହିତ୍ୟର ଉତ୍ତରଣ ସାଧିତ ହୋଇଥିଲା । ସେ ଓଡ଼ିଆ ସାହିତ୍ୟ, ଓଡ଼ିଶାରେ କଳା ଓ ନିର୍ମାଣ ଯୋଜନାର ଉନ୍ନତି ନିମନ୍ତେ କାମ କରିଥିଲେ ।
ପୁରାଣରେ ବର୍ଣ୍ଣନା
ଗଜପତି କପିଳେନ୍ଦ୍ର ଦେବଙ୍କ ବାବଦରେ ମାଦଳା ପାଞ୍ଜିରେ କାହାଣୀମାନ ଦୃଷ୍ଟିଗୋଚର ହୋଇଥାଏ । ସେଥିମଧ୍ୟରୁ କପିଳା ମୁଣ୍ଡ ଉପରେ ସାପ ଫଣା ଟେକି ଛାଇକୁ ପ୍ରତିରୋଧ କରିବା ଏବଂ ସେ ରାଜା ହେବା କାହାଣୀଟି ହେଉଛି:
“କପିଳ ଗଛମୂଳେ ଶୋଇଅଛନ୍ତି ମୁହଁରେ ଖରା ପଡ଼ିଲାକୁ ନାଗସାପ ଫଣା ଟେକିଅଛି । ଏମନ୍ତ ଦେଖି କପିଳ କି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ । ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ ସୁଖ କରିଥାଇ । ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରାଟିଆଙ୍କ ସଙ୍ଗେ ସାଙ୍ଗ ହୋଇ ଚୋରି କଲେ । ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରି ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି । ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ । କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ । ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ । ଏଥକୁ କପିଳ ରାଉତ ଚାକର ରହିଲେ । ଥୋକାଏ ଦିନ ଉତ୍ତାରୁ ପରମେଶ୍ଵର କପିଳ ରାଉତଙ୍କୁ ରାଜା କରି ଆଜ୍ଞା ଦେଲେ ।