ଠକଙ୍କ ହାବୁଡ଼ରେ ଫସନ୍ତୁ ନାହିଁ: ତାଗିଦ୍‌ କଲା ଓପିଏସ୍‌ସି

କଟକ: ସାଇବର ଠକାମିର ଶିକାର ନହେବା ପାଇଁ ଚାକିରି ଆଶାୟୀଙ୍କୁ ସତର୍କ କରିଛି ଓଡ଼ିଶା ଲୋକସେବା ଆୟୋଗ । କମିଶନ କହିଛି ଯେ ଚାକିରି ଆଶାୟୀମାନେ ବିଜ୍ଞାପନକୁ ଭଲ ଭାବରେ ପଢ଼ିବା ପରେ ଆବଶ୍ୟକ ନିୟମାବଳୀକୁ ପାଳନ କରି ଆବେଦନ କରନ୍ତୁ ଓ ପରୀକ୍ଷା ଦେୟ ପଇଠ କରନ୍ତୁ ।

ଓପିଏସ୍‌ସି ପରିଚାଳିତ ପରୀକ୍ଷାରେ ପାସ୍‌ କରାଇ ଦେବାକୁ କହି ବହୁତ ଠକ ଚାକିରି ଆଶାୟୀଙ୍କ ନିକଟରୁ ଟଙ୍କା ଦାବି କରିପାରନ୍ତି । ତେବେ ସେଭଳି କୌଣସି ଠକଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ କି ଟଙ୍କା ଗଣି ଦେଇ ପଶ୍ଚାତାପ କରନ୍ତୁ ନାହିଁ । କମିଶନ ଜାଣିବାକୁ ପାଇଛନ୍ତି ଯେ କିଛି ଦଲାଲ ସଂସ୍ଥା ଓପିଏସ୍‌ସି ପରୀକ୍ଷା ଫି’ ବାବଦ ଟଙ୍କା ପଇଠ କରିବା ପାଇଁ ଏକ ଜାଲ ଲିଙ୍କ୍‌ ବ୍ୟବହାର କରୁଛନ୍ତି । ସରଳ ଓ ନିରୀହ ଛାତ୍ରଛାତ୍ରୀମାନେ ସେଥିପ୍ରତି ସଜାଗ ରହିବାକୁ ଚେତାବନୀ କରି ଦିଆଯାଇଛି । ଓପିଏସ୍‌ସି ପରୀକ୍ଷା ବା ମନୋନୟନ ପରୀକ୍ଷାରେ କୌଣସି କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉନି ।

ତେଣୁ ଚାକିରି ଆଶାୟୀମାନେ ଠକଙ୍କ କଥାରେ ପରିଚାଳିତ ହୋଇ କାହାକୁ କୌଣସି ଟଙ୍କା ପଇଠ କରନ୍ତୁ ନାହିଁ । ଓପିଏସ୍‌ସି ତା’ର ମେରିଟ୍‌ ଲିଷ୍ଟ ପ୍ରକାଶ କରିବା ଦିଗରେ ସଂପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରିଥାଏ ବୋଲି ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ଯଦି କୌଣସି ବ୍ୟକ୍ତି ବା ସଂସ୍ଥା ଚାକିରି ଆଶାୟୀଙ୍କ ନିକଟରୁ ଟଙ୍କା ଦାବି କରୁଥାନ୍ତି, ସେମାନଙ୍କ ସଂପର୍କରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଇ-ମେଲ ଓ ଫୋନ୍‌ ନମ୍ବର ଦିଆଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ କମିଶନଙ୍କ ଫୋନ୍‌ ନମ୍ବର ୦୬୭୧-୨୩୦୪୦୯୦ ଓ ୦୬୭୧-୨୩୦୧୧୦୭ ଜାରି କରାଯାଇଛି ।

09:35 AM