ଆଜକୁ ପ୍ରାୟ ୪ ହଜାର ବର୍ଷ ତଳେ ଆରବ ସାଗରରେ ଜଳସମାଧି ନେଇଥିଲା ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳାକ୍ଷେତ୍ର ଦ୍ୱାରକା । ଭାରତ ସରକାରଙ୍କ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ବିଭାଗର ଅଭିଜ୍ଞ ଅଧିକାରୀଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଗୋଟିଏ ଟିମ୍ ଗୁଜରାଟ ଉପକୂଳରେ ସମୁଦ୍ର ଗର୍ଭକୁ ଯାଇ ତନ୍ନତନ୍ନ ଖୋଜିଥିଲେ ।
ଯଦିଓ ସାରା ଭାରତଟା ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ । ମଥୁରା, ଗୋପପୁର, ବୃନ୍ଦାବନ, ଦ୍ୱାରକା ନାମଗୁଡ଼ିକ ଆଲୋଚନା ପରିସରକୁ ଆସିଲେ, ତାହା ଉତର-ପଶ୍ଚିମ ଭାରତକୁ ବୁଝାଏ । ଶ୍ରୀକୃଷ୍ଣଙ୍କ କର୍ମଭୂମି ଭାବେ ଜଣାଶୁଣା ଦ୍ୱାରକା ଏକ ରହସ୍ୟମୟ ସହର । କଂସ ନିଧନ ପରେ ତା’ ଶଶୁର ଜରାସନ୍ଧ ଦାଉରୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ କୃଷ୍ଣ ବଳରାମ ସାଗର ଗର୍ଭରେ ଦ୍ୱାରକା ନଗରୀ ପ୍ରତିଷ୍ଠା କରିଥିଲେ ।
ଆଧୁନିକ ଭାରତର ଯୋଜନାବଦ୍ଧ ସହରାଂଚଳ ଭଳି ଦ୍ୱାରକା ଏକ ସମୃଦ୍ଧ ସହର ଥିଲା । ପୁରାଣ କଥାନୁସାରେ ଯାଦବ ବଂଶ ଧ୍ୱଂସ ପାଇଯିବା ପରେ ପରିବାର ଲୋକଙ୍କୁ ହରାଇ ଗଭୀର ଦୁଃଖରେ ଶ୍ରୀକୃଷ୍ଣ ଜଙ୍ଗଲରେ ବିଶ୍ରାମ କରୁଥିବା ସମୟରେ ଜାରା ଶବର ତୀରରେ ଆହତ ହୋଇ ଦେହତ୍ୟାଗ କରିଥିଲେ । ତାଙ୍କ ନିଧନ ପରେ ଦ୍ୱାରକା ଦ୍ୱୀପଟି ସମୁଦ୍ରରେ ବୁଡ଼ି ଯାଇଥିଲା ।
ପୁରାଣ କଥାର ସତ୍ୟତା ଜାଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା ।
୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ପ୍ରାୟ ଦୁଇବର୍ଷ ଧରି ମାଟିଖୋଳା ମେସିନ୍ ଓ କିଛି ଅଭିଜ୍ଞ ବୁଡ଼ାଳି ସମୁଦ୍ର ଗର୍ଭରେ ପଶି ଦ୍ୱାରକାକୁ ଅଣ୍ଡାଳୁଥିଲେ ।
ଅବଶେଷରେ ଏଏସ୍ଆଇ ମହାନିର୍ଦ୍ଦେଶକ ଆଲୋକ ତ୍ରିପାଠୀଙ୍କ ସମେତ ୫ ଜଣିଆ ଟିମ୍ ସଫଳତାର ସହିତ ତାଙ୍କର କାମ ସାରିଛନ୍ତି ।