୬ ବର୍ଷ ଶିଶୁର ଜୀବନ ନେଲା ଏନର୍ଜି ଡ୍ରିଙ୍କ୍
ଛୋଟପିଲାଙ୍କୁ ଏନର୍ଜି ଡ୍ରିଙ୍କ୍ ପିଇବାକୁ ନଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ
ଏକ ରିପୋର୍ଟ ଅନୁସାରେ, ଏନର୍ଜି ଡ୍ରିଙ୍କ ପିଇ ଜଣେ ଶିଶୁର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଉତ୍ତର-ପୂର୍ବ ମେକ୍ସିକୋରେ । ଉତ୍ତର-ପୂର୍ବ ମେକ୍ସିକୋର ମାଟାମୋରୋସରେ ୬ ବର୍ଷର ଶିଶୁ ଫ୍ରାନ୍ସିସକୋ ସରଭାନଟେସ୍ ଗୋଟିଏ ଗ୍ଲାସ୍ ଏନର୍ଜି ଡ୍ରିଙ୍କ ପିଇବା ଯୋଗୁଁ ମୃତ୍ୟୁ ହୋଇଛି । ପିଲାଟି ଗତ ୧୬ତାରିଖରେ ନିଜ ଜେଜେମା ଘରକୁ ଯିବାବେଳେ ଏଭଳି ଦୁଃଖଦ ଘଟଣା ଘଟିଥିଲା ।
ଫ୍ରାନ୍ସିସକୋ ସରଭାନଟେସ୍ଙ୍କୁ ଶୋଷ ଲାଗିବାକୁ ସେ ଗୋଟିଏ ଗ୍ଲାସ୍ ଏନର୍ଜି ଡ୍ରିଙ୍କ୍ ପିଇଦେଇଥିଲେ । ଏନର୍ଜି ଡ୍ରିଙ୍କ୍ ପିଇବା ପରେ ତାଙ୍କୁ ବିଚଳିତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କର ହୃଦଘାତ ହେବା ସହ ବ୍ରେନ୍ ଡେଡ୍ ହୋଇଯାଇଛି ବୋଲି ଡାକ୍ତର କହିଥିଲେ ।
ଏହାପରେ ଫ୍ରାନ୍ସିସକୋ ୬ ଦିନ ଯାଏଁ କୋମାରେ ରହିଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଛି । ଫ୍ରାନ୍ସିସକୋଙ୍କର ଆଗରୁ କେଉଁ ରୋଗ ଥିଲା କି ନାହିଁ ତାହା ଜଣାପଡିନାହିଁ । ଏନଏଚଏସ ସହ ସ୍ବାସ୍ଥ୍ୟ ବିଶେଷଜ୍ଞ ଛୋଟପିଲାଙ୍କୁ ଏନର୍ଜି ଡ୍ରିଙ୍କ୍ ପିଇବାକୁ ନଦେବାକୁ ପରାମର୍ଶ ଦେଇଛନ୍ତି ।