ନୂଆଦିଲ୍ଲୀ: ମହାକାଶ ଅଭିମୁଖେ ଯାଉଥିବା ଉପଗ୍ରହକୁ ସଠିକ ବାଟ ଦେଖାଇବା କାମ ପାଇଁ ଭାରତ ଅନ୍ୟ ଦେଶର ମହାକାଶ ଷ୍ଟେସନ୍ ଉପରେ ନିର୍ଭର କରିଆସୁଛି । ମହାକାଶ ଅଭିମୁଖେ ଯାଉଥିବା ଭାରତୀୟ ମହାକାଶଚାରୀଙ୍କୁ ବିଦେଶୀ ମହାକାଶ ଷ୍ଟେସନରେ କିଛି ସମୟ ବିଶ୍ରାମ କରିବାକୁ ପଡୁଛି । କିନ୍ତୁ ଆଗାମୀ କିଛି ବର୍ଷ ଭିତରେ ଭାରତ ମହାକାଶ ଜ୍ଞାନକୌଶଳ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଯାଉଛି । ଭାରତକୁ ଆଉ ବିଦେଶୀ ମହାକାଶ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡ଼ିବନି ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସୂଚନା ମୁତାବକ ଗୁରୁବାର ଦିନ ଇସ୍ରୋ ତା’ର ବହୁମୁଖୀ ପ୍ରତିଭାର ଆଉ ଗୋଟିଏ ଦିଗ ଉନ୍ମୋଚନ କରିଛି । ଇସ୍ରୋ ମହାକାଶରେ ସ୍ପାଡେକ୍ସ ଉପଗ୍ରହକୁ ସଫଳତାର ସହିତ ଅବସ୍ଥାପିତ କରିପାରିଛି । ସଂକ୍ଷେପରେ କହିଲେ, ଭାରତର ଆଗାମୀ ମହାକାଶ ଅଭିଯାନଗୁଡ଼ିକୁ ସଫଳତାର ସୋପାନରେ ପହଂଚାଇବା କ୍ଷେତ୍ରରେ ସ୍ପାଡେକ୍ସ ଉପଗ୍ରହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆଗାମୀ ଦିନରେ ଭାରତ ଅନ୍ତରୀକ୍ଷ ଷ୍ଟେସନ୍, ଚନ୍ଦ୍ରଯାନ-୪ ଓ ଗଗନଯାନ ପଠାଇବ ।