ନବୀନବାବୁ ଜଣାନ୍ତୁ: ଝିଅଙ୍କ ନାମଲେଖା ଫି’ କେତେ?

ଝିଅମାନଙ୍କୁ ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର । ସରକାରୀ ବିଦ୍ୟାଳୟ ଓ କଲେଜରେ ଝିଅମାନଙ୍କର ନାମଲେଖା ଫିସ ଅତି ମାମୁଲି ଥିଲାବେଳେ ଘରୋଇ କଲେଜରେ ନାମଲେଖା ଫିସ ବେଶ ଅଧିକ । ରାଜ୍ୟର ସବୁ ଘରୋଇ କଲେଜ ନାମଲେଖା ସମୟରେ କଲେଜ ବିକାଶ ପାଣ୍ଠି ଆଳରେ ଯୋଉ ଫି’ ଆଦାୟ କରୁଛନ୍ତି, ସେଥିରେ ଝିଅମାନଙ୍କୁ ବାଦ ଦିଆଯାଉନି ।

ଶିକ୍ଷା ଭଳି ଏକ ମହାନ କାର୍ଯ୍ୟରେ ନିୟୋଜିତ ଶିକ୍ଷାନୁଷ୍ଠାନ ଝିଅଙ୍କଠାରୁ ନାମଲେଖା ବାବଦରେ ହଜାର ହଜାର ଟଙ୍କା ଦାବି କରୁଥିବାରୁ ବହୁ ଗରିବ ଅଭିଭାବକ ଧାରକରଜ କରିବାକୁ ବାଧ୍ୟ ହେଉଛନ୍ତି । ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀମାନେ ଘରୋଇ କଲେଜଗୁଡ଼ିକର ଅସଲ ସ୍ୱରୂପ ଜାଣି ମଧ୍ୟ ନିରବ ରହୁଛନ୍ତି । କଲେଜର ବିକାଶ ପାଇଁ ଅଭିଭାବକଙ୍କ ବେକରେ ଗାମୁଛା ପକାଇ ପାଣ୍ଠି ଆଦାୟ କରିବା ଆଦୌ ଗ୍ରହଣୀୟ ନୁହେଁ । ଏମିତି ତ ସରକାର ଝିଅଙ୍କୁ ମାଗଣା ଶିକ୍ଷାଦାନ ଘୋଷଣା କରି ଝିଅ-ପୁଅ ମଧ୍ୟରେ ପକ୍ଷପାତିତାକୁ ପ୍ରୋତ୍ସାହନ ଦେଉଛନ୍ତି । ତା’ ସହିତ ସରକାରୀ କଲେଜ ଓ ଘରୋଇ କଲେଜର ଶିକ୍ଷାଦାନ ବ୍ୟବସ୍ଥାକୁ କୁତ୍ସିତ କଦାକାର କରୁଛନ୍ତି ।

ବହୁ ସରକାରୀ କଲେଜର ଅଧ୍ୟାପକ ଅଧ୍ୟାପିକାଗଣ ସେମାନଙ୍କ ଆଖପାଖରେ ଗଢ଼ି ଉଠିଥିବା ଘରୋଇ କଲେଜର ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଏଜେଂଟ କାମ କରୁଛନ୍ତି । ସରକାରୀ କଲେଜରେ ନାମଲେଖା ସିନା କମ୍, ବାକି ସୁବିଧା ନାହିଁ । ଲାଇବ୍ରେରୀରେ ବହି ନାହିଁ । ଖେଳକୁଦ ପାଇଁ କ୍ରୀଡ଼ା ସାମଗ୍ରୀ ନାହିଁ । ପ୍ରାକ୍ଟିକାଲ ପାଇଁ ଭଲ ଗବେଷଣାଗାର ନାହିଁ । ଗବେଷଣାଗାର କଥା ଛାଡ଼, ଡେମୋନ୍ଷ୍ଟ୍ରେସନ୍ ପାଇଁ ଆବଶ୍ୟକୀୟ ଉପକରଣ ନାହିଁ । ଏଭଳି ନାନା କଥା କହି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଘରୋଇ କଲେଜକୁ ପଠାଇ ଦିଆଯାଉଛି ।

ସେହିଭଳି ନାନା ଲୋଭ ପ୍ରଲୋଭନ ଦେଖାଇ ଅଧିକାଂଶ ଘରୋଇ କଲେଜ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ମନାଉଛନ୍ତି । ନାମ ଲେଖା ସରିଯିବା ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ନଜର ଦେଉନାହାନ୍ତି । ଲାଇବ୍ରେରୀ ରୁମ ଓ ବହି କଥା ଛାଡ଼, ଶିକ୍ଷାଦାନ ପାଇଁ ସ୍ଥାୟୀ ଅଧ୍ୟାପକ ମଣ୍ଡଳୀ ନିଯୁକ୍ତ କରୁନାହାନ୍ତି ।