ଓଡ଼ିଶା ସରକାରଙ୍କ ଆଦର୍ଶ ଶିକ୍ଷା: ଛେଳି ଗୁହାଳରେ ପାଠପଢା
ଦେଶର ଭବିଷ୍ୟତକୁ ଛେଳି ଗୁହାଳରେ ବସାଇ ପାଠ ପଢ଼ାଉଥିଲେ ରାଜ୍ୟ ସରକାର । ଏ ବିଚିତ୍ର ବ୍ୟବସ୍ଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନତ ମସ୍ତିଷ୍କରୁ ବାହାରିଛି ଯାହା ଆଜି ଯାଏ ଚାଲିଛି ।
ବର୍ଷେ କି ଦୁଇବର୍ଷ ନୁହେଁ, କ୍ରମାଗତ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କଲେ ନବୀନ ପଟ୍ଟନାୟକ । ମାତ୍ର ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲ ଘରଟିଏ କରି ପାରିଲେନି । ବାପାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ୨୪ ବର୍ଷ ନିଅଂଟ ପଡ଼ିଗଲା ।
ବିଜୁ ଜନତା ଦଳ ମୁଖିଆ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ କନକନ; ମାତ୍ର କୋମଳମତି ପିଲାଙ୍କ ପାଇଁ ଛାତଘରଟିଏ କରିବାକୁ ମନ ଡାକୁନି ।
ବିଜେଡି ଅମଳରେ ‘ଫାଇଭ୍-ଟି’ ଶାସନ ନୀତିକୁ ପ୍ରାଥମିକତା ଦିଆଯାଉଥିଲା । ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ଭୃତ୍ୟ ମାହାଲମାଣ୍ଡା ପାଣ୍ଡିୟାନ ଫାଇଭ-ଟି ଚେୟାରମ୍ୟାନ ରହିଥିଲେ । ମାତ୍ର ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ ଅନ୍ତର୍ଗତ ଠକରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ତାଲିକାଭୁକ୍ତ କରି ପାରିଲେନି ।
ପିଲାଙ୍କ ପାଠପଢ଼ା ପାଇଁ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କ ଛେଳି ଗୁହାଳଟିକୁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ଶିକ୍ଷକଙ୍କ ପାଇଁ ପଡ଼ିଥିବା ଚେୟାର ଟେବୁଲ ଗୋଡ଼ରେ ଛେଳି ବନ୍ଧା ଚାଲିଛି । ତା’ରି ଭିତରେ ଚାଲିଛି ପାଠପଢ଼ା ।
ଗୁହାଳଟିର ଗୋଟିଏ କୋଣରେ ଛେଳି ରହୁଛନ୍ତି । ଅନ୍ୟ କୋଣଟିରେ ଚାଲିଛି ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ।
ସମୟ ସମୟରେ ଛେଳିଗୁଡ଼ିକ ପଘାରୁ ଖସି ଯାଇ ପିଲାଙ୍କ ବହିଖାତା ଟାଣି ନିଅନ୍ତି । ଛେଳିଙ୍କ ମଳମୂତ୍ରର ଦୁର୍ଗନ୍ଧ ଭିତରେ ଚାଲିଛି ପାଠପଢ଼ା ।
ଦୀର୍ଘ ୧୪ ବର୍ଷ ଧରି ପିଲାମାନେ ଦୁର୍ଗନ୍ଧ ଭିତରେ ପାଠ ପଢୁଛନ୍ତି । ଶିକ୍ଷକ ରବିନ୍ଦ୍ର ମହାକୁଡ କହନ୍ତି ଯେ ଖରାଦିନରେ ଛେଳିଗୁଡ଼ିକୁ ଘଉଡ଼ାଇ ଦେଇ ପାଠ ପଢ଼ାଇବା ସମ୍ଭବ । ମାତ୍ର ବର୍ଷାଦିନେ ଛେଳିଗୁଡ଼ିକୁ ପଦାକୁ ଘଉଡ଼ାଇବା ସମ୍ଭବ ନୁହେଁ । ତେଣୁ ଛେଳିଙ୍କ ଗହଣରେ ପିଲାଙ୍କୁ ପାଠ ପଢ଼ାଚାଲିଛି ।
ତା’ମାନେ ନୁହେଁ ଯେ ପିଲାଙ୍କ ପାଇଁ ବିଦ୍ୟାଳୟ ବ୍ୟବସ୍ଥା ନାହିଁ । ନବୀନ ପଟ୍ଟନାୟକଙ୍କ ସରକାର ବିଦ୍ୟାଳୟଟିଏ ତିଆରି କରିବା ପାଇଁ ଟଙ୍କା ମଞ୍ଜୁର କରିଥିଲେ । ମାତ୍ର ଠିକାଦାର ଓ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କ କାଳକ୍ଷେପଣ ନୀତି କାରଣରୁ ବିଦ୍ୟାଳୟ ଘରଟି ଏ ଯାଏଁ ସଂପୂର୍ଣ୍ଣ ହୋଇପାରିନି ।
ପିଲାଙ୍କ ପାଠପଢ଼ା ଅବ୍ୟବସ୍ଥା ସଂପର୍କରେ କପ୍ତିପଦା ବିଡିଓ ସବୁ ଜାଣନ୍ତି । ଗଣମାଧ୍ୟମ ରିପୋର୍ଟରଙ୍କ ପ୍ରଶ୍ନର ଜବାବରେ ସେ ପୁଣି ପ୍ରତିଶ୍ରୁତି ଦେଇଛନ୍ତି ।
ବୌଦ୍ଧ ଜିଲ୍ଲାର ବିଲାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତରୁ ଆଜବେଷ୍ଟସ୍ ଉଡ଼ିଗଲାଣି । ବର୍ଷା ସମୟରେ ଛାତରୁ ପାଣି ଗଳୁଛି । ଯେକୌଣସି ସମୟରେ ବିଦ୍ୟାଳୟ କାନ୍ଥ ଭୁଶୁଡ଼ି ଯିବାର ଆଶଙ୍କା ଉପୁଜିଛି । ଓଡ଼ିଶାର ଗ୍ରାମାଂଚଳରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ବିଜେଡି ମୁଖିଆଙ୍କ ଶାସନକୁ ବିଦ୍ରୁପ କରୁଛି ।
ସରକାର ବଦଳିଛି । ରାଜ୍ୟର ବିଜେପି ସରକାର ପିଲାଙ୍କ ପାଠପଢ଼ା ପାଇଁ କେତେ ସଚେତନ, ତାହା ଆଗାମୀ ଦିନରେ ଜଣାପଡ଼ିବ ।