ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ

ପ୍ରଶିକ୍ଷଣ ନେବେ ଇତିହାସର ୧୨୦ ଜଣ ପିଜିଟି…

ଭୁବନେଶ୍ୱର(ସାକ୍‌ସୀ ନ୍ୟୁଜ୍‌): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି । ଶିରିପୁରସ୍ଥିତି ଇମେଜ୍ ଠାରେ ଇତିହାସର ୧୨୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଉଦଘାଟନୀ ଅଧିବେଶନରେ ୟୁନିସେଫ୍ ର ଫିଲ୍ଡ ଅଫିସ୍ ଚିଫ୍ ଶ୍ରୀ ପ୍ରଶାନ୍ତ କୁମାର ଦାସ, ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି, ଉପନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍. ବିଜୟଲକ୍ଷ୍ମୀ, ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ୟୁନିସେଫ୍ ର ଫିଲ୍ଡ ଅଫିସ୍ ଚିଫ୍ ଶ୍ରୀ ଦାସ କର୍ମଶାଳାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉପଦେଶ ଦେଇଥିଲେ । ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ଅପରାଧଠାରୁ ଦୂରେଇ ରଖିବା ପାଇଁ ସେମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବା ଶିକ୍ଷକମାନଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ଦାସ କହିଛନ୍ତି । ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ ଉଦବୋଧନ ଦେଇ ପିଜିଟି ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ କର୍ମଶାଳାରୁ ଜ୍ଞାନ ଆହରଣ କରି ଛାତ୍ରଛାତ୍ରୀଙ୍କ ବିକାଶରେ ବ୍ୟବହାର କରିବାକୁ ଉପଦେଶ ଦେଇଛନ୍ତି । ସେ କହିଛନ୍ତି, ଦିଗଦର୍ଶନ କର୍ମଶାଳା ମାଧ୍ୟମରେ ଶିକ୍ଷକମାନେ ଯାହା ଶିଖିକି ଯାଇଥାନ୍ତି, ତାହା ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ କରିବାରେ ସହାୟକ ହୋଇଥାଏ । ପାଠ ପଢାଇବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଋଚିକୁ ପ୍ରାଧାନ୍ୟ ଦେବାକୁ ସେ ଗୁରୁତ୍ବାରୋପ କରିଛନ୍ତି । ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ମାଳି ସ୍ବାଗତ ଅଭିଭାଷଣ ରଖି କର୍ମଶାଳାର ବିସ୍ତୃତି ବିବରଣୀ ପ୍ରଦାନ କରିଥିଲେ । ଉପନିର୍ଦ୍ଦେଶକ ଶ୍ରୀମତୀ ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ପିଜିଟି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଆୟୋଜିତ ଦିଗଦର୍ଶନ କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୭ ରୁ ସେପ୍ଟେମ୍ବର ୧୧ ତାରିଖ ଯାଏଁ ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କର୍ମଶାଳା ସେପ୍ଟେମ୍ବର ୨୧ ରୁ ସେପ୍ଟେମ୍ବର ୨୫ ତାରିଖ ଯାଏଁ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଇତିହାସର ୧୨୦ ଜଣ ପିଜିଟି ଯୋଗ ଦେଇଛନ୍ତି । ଏହି କର୍ମଶାଳାରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ଆଇସିଟିର ବ୍ୟବହାର, ଓଡିଶା ଏଜୁକେସନ୍ ରୁଲ୍, ସାମ୍ସ ଓ ଶିକ୍ଷାଜ୍ୟୋତି ପୋର୍ଟାଲର ବ୍ୟବହାର, ପୋଶ୍ ଆକ୍ଟ, ଛାତ୍ରବୃତ୍ତି, ପ୍ରଶାସନିକ ଭୂମିକା, ପରୀକ୍ଷା ଏବଂ ମୂଲ୍ୟାଙ୍କନ ଯୋଜନା, କ୍ୟାରିଅର ମାର୍ଗଦର୍ଶନ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ।