ଯନ୍ତ୍ରଣାଦାୟକ ବୈବାହିକ ଜୀବନ ତୁଳନାରେ ଛାଡ଼ପତ୍ର ଶ୍ରେୟସ୍କର । ସମୟ ବଦଳିବା ସହିତ ଭାରତୀୟ ନାରୀଙ୍କ ମାନସିକତାରେ ଯଥେଷ୍ଟ ପରିବର୍ତନ ଘଟୁଛି । ସେମାନେ ଆଉ ଚାରିକାନ୍ଥ ଭିତରେ ବାନ୍ଧି ହୋଇ ଶାଶୁ, ଶଶୁର, ନଣନ୍ଦ, ସ୍ୱାମୀଙ୍କର ମାଡ଼ଗାଳି, ଅତ୍ୟାଚାର ସହିବାକୁ ନାରାଜ । ନିରବତାର ସହିତ ଶାଶୁଘର ଲୋକମାନଙ୍କର ଗାଳିଫଜିତ ମାଡ଼ ଖାଇ ଚୁପଚାପ ରହିବା ନଚେତ୍ ବେକରେ ଦଉଡ଼ି ଲଗାଇ ଛାତକୁ ତଳକୁ ଝୁଲିପଡ଼ିବା, ଏଭଳି ଚିନ୍ତାଧାରା ପୁରୁଣା ହୋଇଗଲାଣି ।
ଆଧୁନିକ ନାରୀ ଶାଶୁଘର ଲୋକଙ୍କ ସହିତ ଖାପ୍ ଖୁଆଇ ଚଳି ନପାରିଲେ, ସ୍ୱାମୀଙ୍କ ନିକଟରୁ ଛାଡ଼ପତ୍ର ନେଇ ଅନ୍ୟତ୍ର ସୁଖୀ ଜୀବନ ବିତାଇବାକୁ ଉଚିତ ମଣୁଛନ୍ତି । ଯୋଉ ବିବାହରେ ଭଲ ପାଇବା ନାହିଁ କି ପରସ୍ପର ସମ୍ମାନବୋଧ ନାହିଁ, ସେଭଳି ବିବାହକୁ ଜାବୁଡ଼ି ଧରିବା ଅପେକ୍ଷା ତୁଟିଯିବା ସବୁ ଦୃଷ୍ଟିରୁ ଭଲ । ଦିନ ଥିଲା, ଛାଡ଼ପତ୍ର ଶବ୍ଦଟି ଯୋଉ ମହିଳାଙ୍କ ମୁଣ୍ଡରେ ବାଜି ଯାଉଥିଲା, ସେହି ମହିଳାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଗଲା ବୋଲି ଏକ ଭିନ୍ନ ଭାବନା ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିଲା ।
ମାତ୍ର ସମୟ ବଦଳିଛି, ଛାଡ଼ପତ୍ରର ସଂଜ୍ଞା ବଦଳିଛି । ଆଜି ଜଣେ ମହିଳା ଛାଡ଼ପତ୍ର ବଳରେ ପୂର୍ବ ସ୍ୱାମୀଙ୍କ ସହିତ ସବୁ ସଂପର୍କ ତୁଟାଇ ସ୍ୱାଧିନ ଭାବେ ଅନ୍ୟ ଜଣଙ୍କର ହାତ ଧରି ନୂଆ ସଂସାର ଗଢ଼ିପାରୁଛନ୍ତି । ତା’ ନହେଲେ ସ୍ୱାବଲମ୍ବୀ ଭାବେ ଜୀବନ ଯାପନ କରି ପାରୁଛନ୍ତି । ବାପା, ମା’, ଭାଇ ଭାଉଜ ପୁତୁରା ଝିଆରି ଭଳି ସଂପର୍କୀୟଙ୍କ ଦୟାର ପାତ୍ର ହୋଇ ରହିବା ଛାଡ଼ି କଳକାରଖାନାରେ କାମ କରି ଆରାମରେ ରହି ପାରୁଛନ୍ତି ।