କାହାକୁ ଖାଇବେ, ଧଳାଅଣ୍ଡା ବନାମ ଧୂସର ଅଣ୍ଡା !

ହାଟ ବଜାରରେ ଧଳାରଙ୍ଗର ଅଣ୍ଡା ଓ ଈଷତ୍ ଲାଲ ଅବା ଧୂସର ରଙ୍ଗର ଅଣ୍ଡା ବିକା ଯାଉଛି । ଆପଣଙ୍କ ଶରୀରକୁ କୋଉ ରଙ୍ଗର ଅଣ୍ଡା ଉପାଦେୟ? ୟେ ପ୍ରଶ୍ନର ଜବାବ ଆପଣଙ୍କ ନିକଟରେ ଅଛି ?

କିଛି ଲୋକ ଭାବନ୍ତି, ଦେଶୀ କୁକୁଡା ଅଣ୍ଡା ଦେଖିବାକୁ ଈଷତ୍ ଲାଲ ।  ହାଇବ୍ରିଡ୍ କୁକୁଡା ଦେଉଥିବା ଅଣ୍ଡାଗୁଡ଼ିକ ତୋଫା ଧଳା । ଗାଁ ଗହଳିର ଲୋକମାନେ ସାଧାରଣତଃ ଈଷତ୍ ଲାଲ ଅଣ୍ଡାକୁ ଅଧିକ ପସନ୍ଦ କରନ୍ତି । ସହରାଂଚଳରେ ଝିଅମାନେ ତୋଫା ଧଳା ଅଣ୍ଡାକୁ ଭାରି ପସନ୍ଦ କରନ୍ତି ।

କିନ୍ତୁ ସତ କଥା ହେଉଛି, ଉଭୟ ଅଣ୍ଡା ଆମ ଶରୀର ପାଇଁ ପୁଷ୍ଟିକର । ଉଭୟ ପ୍ରକାର ଅଣ୍ଡାରେ ସମାନ ପରିମାଣର ଭିଟାମିନ୍ ରହିଛି । ଏବେ ଆପଣ କହିପାରନ୍ତି, ଅଣ୍ଡାର ରଙ୍ଗ ବଦଳିବାର କାରଣ କ’ଣ?

ଅସଲ କଥା ହେଉଛି, ଲାଲ ରଙ୍ଗର କୁକୁଡା ଦେଉଥିବା ଅଣ୍ଡାଟି ଧୂସର ବା ଈଷତ୍ ଲାଲ ଦିଶେ । ଧଳାରଙ୍ଗର କୁକୁଡ଼ା ଦେଉଥିବା ଅଣ୍ଡାଟି ଧଳା ଦିଶେ ।

ଡାକ୍ତର ରୁଜୁତା ଦିୱେକରଙ୍କ ମତରେ ଅଣ୍ଡାର ରଙ୍ଗ ସହିତ ସେଥିରେ ମହଜୁଦ ଭିଟାମିନର କୌଣସି ସଂପର୍କ ନାହିଁ । ସୁସ୍ଥ ପରିବେଶ ଓ ପୁଷ୍ଟିକର ଦାନା ଖାଉଥିବା କୁକୁଡା ନିକଟରୁ ଅଧିକ ଭିଟାମିନ ଯୁକ୍ତ ଅଣ୍ଡା ମିଳିଥାଏ । ଦୂଷିତ ପରିବେଶରେ ଦୂଷିତ ଖାଦ୍ୟ ଖାଉଥିବା କୁକୁଡା କମ୍ ଭିଟାମିନ ଯୁକ୍ତ ଅଣ୍ଡା ଦେଇଥାଏ ।