ବିଶ୍ୱରେ ଡାକ ବ୍ୟବସ୍ଥା ପ୍ରଚଳନ କେବେଠାରୁ ଆରମ୍ଭ ହୋଇଥିଲା? କିଏ କାହା ନିକଟକୁ ପ୍ରଥମ ଚିଠି ଲେଖିଥିଲେ? ଏଭଳି ପ୍ରଶ୍ନ କେବେ ଆପଣଙ୍କ ମନକୁ ଆସିଛି? ଅଧିକାଂଶ ଲୋକ ଏଭଳି ପ୍ରଶ୍ନକୁ ଗୁରୁତ୍ୱହୀନ ମଣୁଥିବେ । ମାତ୍ର ପ୍ରଶ୍ନଟା ଭାରି ଓଜନିଆ ନିଶ୍ଚିତ ।
ଜବାବ ହେଉଛି ପର୍ସିଆନ୍ ରାଣୀ ଆଟୋସା ବିଶ୍ୱରେ ପ୍ରଥମ ଚିଠି ଲେଖିଥିଲେ । ଏ ଜବାବର ସତ୍ୟତା ପ୍ରତି ଅନେକଙ୍କ ମନରେ ସନ୍ଦେହ ପ୍ରକାଶ ପାଇପାରେ । ଆଜିକାଲି ଚିଠି ପାଇଁ ବଜାରରେ ସୁନ୍ଦର ସୁଶୋଭିତ କାର୍ଡ ମିଳୁଛି । ସୋସିଆଲ ମିଡିଆ ଯୁଗରେ ହୁଏତ ଚିଠି ଆଦାନ ପ୍ରଦାନ ବ୍ୟବସ୍ଥା ଗୌଣ ହୋଇପାରେ । ଇ-ମେଲ ଓ ମୋବାଇଲ ଯୁଗରେ ଡାକ ବିଭାଗ ଅଲୋଡ଼ା ହୋଇଯାଇଛି!
ଦିନ ଥିଲା । ଡାକ ବିଭାଗ ଜରୁରୀକାଳୀନ ସେବା ତାଲିକାଭୁକ୍ତ ଥିଲା । ଡାକ ବିଭାଗ ବିନା ଚିଠି ଆଦାନ ପ୍ରଦାନ ଅସମ୍ଭବ ଥିଲା । ଦୂରସ୍ଥାନରେ ବସବାସ କରୁଥିବା ପରିଜନଙ୍କ ନିକଟକୁ ଖବର ପଠାଇବାର ଏକମାତ୍ର ମାଧ୍ୟମ ଡାକ ବ୍ୟବସ୍ଥା । କୁହାଯାଏ, ଖ୍ରୀଷ୍ଟପୂର୍ବ ୫୦୦ ମସିହାରେ ପର୍ସିଆ ରାଜବଂଶ ଡାକ ବ୍ୟବସ୍ଥାର ମୂଳଦୁଆ ପକାଇଥିଲେ । ରାଣୀ ଆଟୋସା ପ୍ରଥମ ଚିଠି ଲେଖିଥିବା ବିଷୟ ଇତିହାସରେ ଲିପିବଦ୍ଧ ରହିଛି । ସେତେବେଳେ ମହାରାଣୀ ଆଟୋସାଙ୍କ ବୟସ ମାତ୍ର ୨୮ ବର୍ଷ । ଆଟୋସା ହେଉଛନ୍ତି ରାଜା ସାଇରସଙ୍କ ବଡ଼ ଝିଅ ।
ଯୋଗ୍ୟ ବାପାଙ୍କ ପୁତ୍ରୀ ଭାବେ ସିଂହାସନ ଆରୋହଣ କରିବା ପରେ ତାଙ୍କର ପ୍ରତିଭାକୁ ସାରା ବିଶ୍ୱ ଜାଣିବାକୁ ପାଇଥିଲା । ଚିଠିପତ୍ର ଜରିଆରେ ସେ ବହୁ ଦେଶ ସହିତ ମିତ୍ରତା କରିଥିଲେ । ଦେଶର ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସମୃଦ୍ଧ କରିଥିଲେ ।