ବିଜ୍ଞାନ: କିଏ ଆଗ ? ଅଣ୍ଡା ନା କୁକୁଡ଼ା

‘କଟପ୍ପା ବାହୁବଳୀକୁ ମାରିଲା କାହିଁକି?’ ଏ ପ୍ରଶ୍ନଟି ହୁଏତ ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ପ୍ରଶ୍ନ? କିନ୍ତୁ କାହିଁ କୋଉ ଅମଳରୁ ଗୋଟିଏ ପ୍ରଶ୍ନ ଏବେ ସୁଦ୍ଧା ସମସ୍ତଙ୍କ ମନରେ ବସା ବାନ୍ଧି ରହିଛି, ତା’ ହେଉଛି ଆଗ କୁକୁଡ଼ା ନା ଅଣ୍ଡା ?

‘ବାହୁବଳୀ’ ପ୍ରଥମ ଭାଗ ଦେଖି କଟପ୍ପାର କାରନାମା ପ୍ରତି ପ୍ରଶ୍ନ ଉଠାଇଥିବା ଦର୍ଶକମାନଙ୍କୁ ‘ବାହୁବଳୀ’ ଦ୍ୱିତୀୟ ଭାଗରୁ ଜବାବ ମିଳି ଯାଇଥିବ । ମାତ୍ର ‘କୁକୁଡ଼ା ଅବା ଅଣ୍ଡା’ କଉତୁକିଆ ପ୍ରଶ୍ନଟିର ଜବାବ  ଅତି କୌତୁକପ୍ରଦ । ସାଧାରଣ ଲୋକଙ୍କ ନିକଟରେ ଏପରି କୌତୁକ ପ୍ରଶ୍ନର ଜବାବ ନଥାଇପାରେ । କିନ୍ତୁ ବୈଜ୍ଞାନିକଙ୍କ ନିକଟରେ ଏଭଳି ପ୍ରଶ୍ନ ଆଉ ଜଟିଳ ହୋଇ ରହିନି । ଗବେଷଣାରୁ ଜଣାପଡ଼ିଛି ଯେ ଭୂପୃଷ୍ଠରେ ବିକ୍ଷିପ୍ତ ପ୍ରାୟ ପ୍ରଥମ ‘ଅଣ୍ଡା’ର ବୟସ ପ୍ରାୟ ୩୪୦ ନିୟୁତ ବର୍ଷ ପୂର୍ବାନୁମାନ କରାଯାଉଥିଲା ବେଳେ ପୃଥିବୀ ପୃଷ୍ଠରେ ଚଲାବୁଲା କରୁଥିବା ପ୍ରଥମ ‘ଚିଅାଁ’ର ବୟସ ପ୍ରାୟ ୫୮ ହଜାର ବର୍ଷ ।

ଅଷ୍ଟ୍ରେଲିଆ ଗବେଷକଙ୍କ ମତରେ ଅଣ୍ଡା ତିଆରି କରୁଥିବା ଶକ୍ତିଶାଳୀ ପ୍ରୋଟିନ ‘ଓଭି-୧୭’ କେବଳ କୁକୁଡ଼ା ଗର୍ଭାଶୟରେ ଦେଖିବାକୁ ମିଳେ । ୟା’ର ଅର୍ଥ ଓଭି-୧୭ ପ୍ରୋଟିନ ବିନା ‘ଅଣ୍ଡା’ କଳ୍ପନା କରିବା ଅସମ୍ଭବ । ଏବେ ପ୍ରଶ୍ନ ଉଠୁଛି, ଆମେ କୋଉ ଅଣ୍ଡା ବିଷୟ ଆଲୋଚନା କରୁଛେ । ‘କୁକୁଡ଼ା ଦେଇଥିବା ଅଣ୍ଡା’ ବିଷୟରେ ନା ‘ଚିଅାଁକୁ ସୁରକ୍ଷିତ ଭାବେ ଧରି ରଖିଥିବା ଅଣ୍ଡା’ ବିଷୟରେ । ୟେ ପୁଣି କି ଅଡୁଆ ପ୍ରଶ୍ନ? ଆସନ୍ତୁ ଆଉ ଟିକେ ଭଲ କରି ବିଚାର କରିବା । ଧରିନିଅନ୍ତୁ ଗୋଟିଏ ହାତୀ ଅଣ୍ଡା ଦେଲା । ସେହି ଅଣ୍ଡା ଭିତରୁ ଗୋଟିଏ ମହାବଳ ବାଘ ବାହାରିଲା । ଏବେ ଆପଣ କୁହନ୍ତୁ ଅଣ୍ଡାଟି କାହାର? ‘ହାତୀ’ର ନା ‘ବାଘ’ର ।

କିଛି ବୁଝିଲେ? ଅଣ୍ଡିରା କୁକୁଡ଼ା ଓ ମାଈ କୁକୁଡ଼ା ମିଳନରୁ ଜନ୍ମିତ ଅଣ୍ଡାରୁ ଜନ୍ମିତ ‘ଚିଅାଁ’ ଶରୀରରେ ବିକଶିତ ‘ଡିଏନ୍‌ଏ’ ମା’ ବାପା କୁକୁଡ଼ାଙ୍କ ସହିତ ଶହେ ପ୍ରତିଶତ ମିଶି ନଥାଏ । ଯୋଉ ଏକ ପ୍ରତିଶତ ଭିନ୍ନତା ପରିଲକ୍ଷିତ ହୋଇଥାଏ, ତାହା ‘କୁକୁଡ଼ା ଚିଅାଁ’ ଅନନ୍ୟ ଗୁଣସୂତ୍ର । ଉକ୍ତ ଅନନ୍ୟ ଗୁଣସୂତ୍ର ଅଣ୍ଡା ଭିତରେ ମହଜୁଦ ଥାଏ । ଆଉ ଟିକେ ସରଳ ଭାବରେ ବୁଝାଇ ଦେଉଛୁ, ଲକ୍ଷାଧିକ ବର୍ଷ ପୂର୍ବେ କୁକୁଡ଼ା ଭଳି ଦିଶୁଥିବା ପ୍ରାଣୀଟିଏ ତା’ରି ଭଳି ଦିଶୁଥିବା ପ୍ରାଣୀ ସହିତ ମିଳିତ ହେବା ପରେ ଅନନ୍ୟ ଗୁଣସୂତ୍ର ସଂପନ୍ନ ଅଣ୍ଡାଟିଏ ଦୁନିଆକୁ ଆସିଲା ଯାହାର ଡିଏନ୍‌ଏ ମା’ ବାପା’ଠାରୁ ସଂପୂର୍ଣ୍ଣ ଅଲଗା ଥିଲା ।

ଆମ ପୂର୍ବପୁରୁଷଙ୍କ ଆଖିରେ ଧରା ଦେଇଥିବା ପ୍ରଥମ କୁକୁଡ଼ା ଯେ ୩୪୦ ନିୟୁତ ବର୍ଷ ପୂର୍ବର ଅଣ୍ଡାରୁ ବାହାରିଥିବ, ଏ କଥାର କୌଣସି ପ୍ରମାଣ ନାହିଁ । ଗୁଣସୂତ୍ର ବିକାଶ ପ୍ରକ୍ରିୟା ହଜାର ହଜାର ବର୍ଷର ପୁରୁଣା ପ୍ରସଙ୍ଗ । ଧରାପୃଷ୍ଠରେ ମହଜୁଦ ପ୍ରଥମ ଅଣ୍ଡାର ପରିବର୍ଦ୍ଧିତ କ୍ରମଃବିକାଶର ପରିଣାମ ହେଉଛି ଆଜିର କୁକୁଡ଼ା । ସଂକ୍ଷେପରେ କହିଲେ,  ପ୍ରଥମେ ଅଣ୍ଡା ଓ ପରେ କୁକୁଡ଼ା । ଠିକ୍‌ ଯେମିତି ଆମ ପୂର୍ବପୁରୁଷ ମାଙ୍କଡ଼ ନଥିଲେ ମାଙ୍କଡ଼ ଭଳି ଦିଶୁଥିଲେ ।