ଖିର ସମସ୍ତଙ୍କର ପ୍ରିୟ । ବଜାରରେ ମିଳୁଥିବା ସବୁ ଖିର ଅସଲି, ଏ କଥା କେହି ଦୃଢ଼ତାର ସହିତ କହି ପାରିବେନି । ଭେଜାଲ ଦୁନିଆରେ ଅସଲି ଖିର ଚିହ୍ନିବା କଷ୍ଟକର ପାଠ ।
ଖିର ପ୍ରକ୍ରିୟାକରଣ କେନ୍ଦ୍ରରେ ଅସଲି ଖିର ଓ ଭେଜାଲ ଖିର ଚିହ୍ନିବା ସହଜ । କିନ୍ତୁ ସାଧାରଣ ଗୃହିଣୀମାନେ ଅସଲି ଖିର ଓ ନକଲି ଖିରକୁ ଚିହ୍ନିବେ କିପରି?
ଆମେ ଆପଣଙ୍କୁ ଏଭଳି କିଛି ଉପାୟ କହିବୁ, ଯାହା ଜରିଆରେ ଆପଣ ନକଲି ଖିର ଓ ଅସଲି ଖିର ଭିତରେ ଫରକ ଜାଣିପାରିବେ ।
ଗୋଟିଏ ଲିଟର ଖିରକୁ ଗରମ କଲେ, ସେଥିରୁ ୨୦୦ରୁ ୩୨୦ ଗ୍ରାମ ପର୍ଯ୍ୟନ୍ତ ପନୀର ବାହାରିଥାଏ । ସେତିକି ପରିମାଣର ପନୀର ହେଉନି, ତା’ ଅର୍ଥ ପାଣିମିଶା ଖିର ।
ଅସଲି ଖିରକୁ ଗରମ କରିବାର କିଛି ସମୟ ଭିତରେ ଉପରେ ଏକ ବହଳ ସର ପଡ଼ିଯାଏ । ସରଟି ପତଳା ହୋଇଥିଲେ, ଖିରରେ ପାଣି ମିଶିଛି । ଜମାରୁ ସର ନପଡ଼ିଲେ, ଅଧିକ ପାଣି ମିଶିଛି ବୋଲି ଜାଣନ୍ତୁ ।
ଅସଲି ଖିରକୁ ଗରମ କରିବାର କିଛି ସମୟ ଭିତରେ ଏକ ସୁଗନ୍ଧିତ ସୁବାସ ବାହାରିଥାଏ ଯାହା ନକଲି ଖିର କ୍ଷେତ୍ରରେ ସଂପୂର୍ଣ୍ଣ ବ୍ୟତିକ୍ରମ । ଭେଜାଲ ଖିରକୁ ଗରମ କଲେ ସେଥିରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରିଥାଏ ।
ଭେଜାଲ ଖିରକୁ ଗରମ କରି ପିଇଲେ, ଆପଣ ଖିର ପିଉଛନ୍ତି ବୋଲି ଅନୁଭବ କରିପାରିବେନି ।
ବଜାରରେ ବିକା ଯାଉଥିବା ଭେଜାଲ ଖିରରେ ନାନା ପ୍ରକାର ବିଷାକ୍ତ ରସାୟନ ମିଶାଯାଉଛି ଯାହା ଖିରକୁ ଅଧିକ ବହଳ କରିଦିଏ, ମାତ୍ର ତାହା ଆପଣଙ୍କ ଶରୀର ପାଇଁ କ୍ଷତିକର ।
ଖାଂଟି ଖିର ଦେଖିବାକୁ ଅତି ସଫା, ଭେଜାଲ ଖିର ଦେଖିବାକୁ ଈଷତ୍ ହଳଦିଆ ଅବା ବାଦାମୀ । ଖାଂଟି ଖିରକୁ ଗରମ କଲେ, ତାହା ଧିରେ ଧିରେ ବହଳିଆ ହୁଏ ।
ମାତ୍ର ଭେଜାଲ ଖିରରୁ କେଇ ମିନିଟ୍ ଭିତରେ ଜଳୀୟ ଅଂଶ ଚାଲିଯାଏ ।