ପାଣିପାଗ ହାଲଚାଲ: ତାଜା କରିଦେବ ବସନ୍ତର ମଳୟ ପବନ

ଭୁବନେଶ୍ୱର: ବସନ୍ତଋତୁରେ ଗ୍ରୀଷ୍ମଋତୁର ଅନୁଭବ । ମନକୁ ଖଟକା ଲାଗୁଥିବ । ଗତ ତିନିଦିନ ଧରି ରାଜ୍ୟର ପ୍ରାୟ ଅଧିକାଂଶ ଅଂଚଳରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରକୁ ରହିଛି । ରାଜଧାନୀ ଭୁବନେଶ୍ୱର ଉପକୂଳ ଓଡ଼ିଶା ଅନ୍ତର୍ଗତ ଥାଇ ମଧ୍ୟ ତାତିଲା ତାତିଲା ଲାଗୁଛି । ଦକ୍ଷିଣା ପବନ ଏବେ ସୁଦ୍ଧା ଓଡ଼ିଶାକୁ ଛୁଇଁ ପାରିନି । ଦିନରେ ପାଗ ଶୁଖିଲା ରହୁଥିବା ବେଳେ ଭୀଷଣ ଗୁଳୁଗୁଳି ଜନଜୀବନକୁ ଚିନ୍ତାରେ ପକାଇଛି ।

ତେବେ ଆଗାମୀ ୭ ଦିନ ଭିତରେ ପାଗ ବଦଳି ଯିବାର ପୂର୍ବାନୁମାନ କରାଯାଉଛି । ଦିନେ ଦୁଇଦିନ ଭିତରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

୩୦ ତାରିଖ ଭିତରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସାମାନ୍ୟ କମିଯିବ । ଫଳରେ ଲୋକମାନେ ବସନ୍ତଋତୁର ମଳୟ ପବନର ସୁଖଦ ଅନୁଭୂତି ପାଇପାରିବେ ।