୨୦୦୦ ବର୍ଷ ପୁରୁଣା କଳା ଦାନ୍ତ ପ୍ରଥା

ଭିଏତନାମ୍‌ର ମହିଳାମାନଙ୍କ ଗହଣରେ କଳାଦାନ୍ତ …

ଭିଏତନାମ୍‌ର ମହିଳାମାନଙ୍କ ଗହଣରେ କଳାଦାନ୍ତ ଏକଦା ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ଗଣାଯାଉଥିଲା। ଦାନ୍ତଗୁଡ଼ିକ କଳା କରିବା ପାଇଁ ସେମାନଙ୍କୁ ଏକ ଲମ୍ବା ଓ କଷ୍ଟ ପ୍ରକ୍ରିୟା ଗ୍ରହଣ କରିବାକୁ ପଡୁଥିଲା। ଏହି ପ୍ରସାଧନ ପ୍ରକ୍ରିୟା ପ୍ରାୟ ୨୦୦୦ ବର୍ଷ ତଳର। ଭିଏତନାମ୍‌ର ଡଙ୍ଗ୍‌ ଜା ଅଂଚଳରୁ ପ୍ରତ୍ନତାତ୍ୱିକ ଖନନ ବେଳେ ଉଦ୍ଧାର କରାଯାଇଥିବା ତିନିଟି କଙ୍କାଳର ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି। ଏତେ ବର୍ଷ ଧରି ଦାନ୍ତର କଳାରଙ୍ଗ ଅକ୍ଷୁଣ୍ଣ ରହିବା ଗବେଷକଙ୍କୁ ଚକିତ କରିଛି। ଏହି ଦାନ୍ତଗୁଡ଼ିକର ପରୀକ୍ଷାରୁ ଜାଣିବାକୁ ମିଳିଛି ଯେ ଦାନ୍ତରେ ଲୌହ ଲବଣକୁ ରାସାୟନିକ ପ୍ରକ୍ରିୟାରେ ଯୋଡ଼ିବା ପାଇଁ ସେମାନେ କେତେକ ଉଦ୍ଭିଦଜାତ ରସାୟନ ବ୍ୟବହାର କରୁଥିଲେ। ଏହି ମିଶ୍ରଣ ଦ୍ୱାରା ଦାନ୍ତଗୁଡ଼ିକୁ କଳା କରିବା ପାଇଁ ପ୍ରାୟ ୨୦ ଦିନ ଲାଗୁଥିଲା।
ଏହି ପରମ୍ପରା ବେଶ କିଛି ଶତାବ୍ଦୀ ଧରି ଚାଲିଥିଲା। ତେବେ ଉପନିବେଶବାଦୀ ଶାସକଙ୍କ ଆଗମନ ପରେ ଭିଏତନାମ୍‌ର ଲୋକଙ୍କ ଉପରେ ପାଶ୍ଚାତ୍ୟ ସୌନ୍ଦର୍ଯ୍ୟ ମାନଦଣ୍ଡର ପ୍ରଭାବ ପଡ଼ିଥିଲା। ଫଳରେ ଦାନ୍ତ କଳା କରିବାର ପ୍ରଥା କ୍ରମଶଃ ଲୋପ ପାଇଗଲା।

ତେବେ ଗତ କିଛି ବର୍ଷ ହେଲା ଭିଏତନାମ୍‌ ଓ ଜାପାନର କିଛି ମହିଳା ପୁଣି ଦାନ୍ତ କଳା କରିବା ପ୍ରଥାକୁ ଆଦରି ନେଇଛନ୍ତି। ସେମାନଙ୍କର ଯୁକ୍ତି; ସୌନ୍ଦର୍ଯ୍ୟର ସଂକୀର୍ଣ୍ଣ ପାଶ୍ଚାତ୍ୟ ମାନଦଣ୍ଡ ଅନୁସାରେ ବଂଚିବା ଅନୁଚିତ। ଆଧୁନିକ ଫ୍ୟାସନ୍‌ ସହିତ ଏହି ପୁରାତନ ପ୍ରଥାର ମିଳିତ ପରମ୍ପରା ପରିବର୍ତିତ ସମାଜକୁ ରୁଦ୍ଧିମନ୍ତ କରିବ।