୬ ମାସରେ ୫୫ କିଲୋ ଓଜନ କମାଇଲେ ଅଭିନେତ୍ରୀ ଶେହନାଜ ଗିଲ, ରହସ୍ୟ ଜାଣନ୍ତୁ

ସିନେମା ଦୁନିଆରେ ଚର୍ଚ୍ଚିତ ଚେହେରା ଶେହନାଜ ଗିଲ । ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଢେର ଅଧିକ । ତାଙ୍କର ଆଉ ଗୋଟିଏ ପରିଚୟ ହେଉଛି, ସେ ଜଣେ ଆଇନଜୀବୀ । କିଛି ସପ୍ତାହ ତଳେ ସେ ମୋଟା ଦିଶୁଥିଲେ । ହଠାତ୍‌ ସୋସିଆଲ ମିଡିଆରେ ପତଳା ଫିଗର୍‌ ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଘଟଣା କ’ଣ?

ମିର୍ଚି ପ୍ଲସ’ରେ ଶିଳ୍ପା ସେଟ୍ଟୀଙ୍କ ସହିତ ଆଳାପ ଆଲୋଚନା ଭିତରେ ସେ ରହସ୍ୟ ଖୋଲିଥିଲେ ।
ଶରୀରକୁ ଆକର୍ଷଣୀୟ ରଖିବା ପାଇଁ ଶେହନାଜ ତାଙ୍କର ନିୟମିତ ଖାଦ୍ୟପେୟରେ ସଂଯମତା ରକ୍ଷା କରୁଥିଲେ । ପୂର୍ବରୁ ସେ ପେଟ ଖାଲି ରଖୁ ନଥିଲେ, ସମୟ ପାଇବା ମାତ୍ରେ କିଛି ଗୋଟିଏ କିଣି ଖାଇ ଦେଉଥିଲେ । ମୋଟା ହୋଇଯିବାରୁ ଗ୍ଲାମର ଦୁନିଆରେ ତାଙ୍କର ଲୋକପ୍ରିୟତା କମିଗଲା ।
ବିଳମ୍ବ ନକରି ନିୟମିତ ବ୍ୟାୟାମ ସାଙ୍ଗକୁ ଖିଆପିଆରେ ନିଜକୁ ନିୟନ୍ତ୍ରଣ କଲେ । ବାସ୍‌, ୬ ମାସ ଭିତରେ ତନୁ ପାତେଳୀ ଦିଶିଲେ ।

ସକାଳେ ଚା’ କପେ, ହଳଦୀ ମିଶା ପାଣିରେ ଆପ୍‌ଲ ଭିନେଗାର ଗିଲାସେ ପିଅନ୍ତି । ସକାଳ ଜଳଖିଆରେ ମୁଗ, ଦୋସା, ଫେନୁଗ୍ରୀକ୍‌ ପରଟା ସେବନ କରନ୍ତି ।ବ୍ରେକ୍‌ ଫାଷ୍ଟ୍‌ ଟିକେ ଓଜନିଆ ହେବା ଦରକାର ବୋଲି ଶେହନାଜ କହନ୍ତି । ଫ୍ଲାଟନ୍‌ ରାଇସ୍‌, ମଷ୍ଟାର୍ଡ ସିଡ୍‌ସ, ପନିପରିବା ଭିତରେ ବ୍ରୋକୋଲି, କ୍ୟାରଟ୍‌, ବେଲ୍‌ ପିପେରର୍ସ, ଦହି ଖାଆନ୍ତି । ମଧ୍ୟାହ୍ନ ଭୋଜନରେ ଘିଅ ଲଗା ରୁଟି ସାଙ୍ଗକୁ ସ୍ୱାଦିଷ୍ଟ ଭଜା, ସନ୍ତୁଳା, ସାଲାଡ୍‌ ନିଅନ୍ତି । ବିଶେଷ କରି ଅଧିକ ପରିମାଣର ପ୍ରୋଟିନ୍‌, କାର୍ବୋ ହାଇଡ୍ରେଟ୍‌ ଓ ଫାଇବର ଜନିତ ଖାଦ୍ୟ ଗ୍ରହଣ କରନ୍ତି । ନୈଶ୍ୟ ଭୋଜନରେ ଶେହନାଜ ଟିକେ କଞ୍ଜୁସି କରନ୍ତି । କମ୍‌ ଚର୍ବି, କମ୍‌ କ୍ୟାଲୋରୀ ସଂପନ୍ନ ଖାଦ୍ୟ ସେବନ କରନ୍ତି । ତା’ ସହିତ ଅସ୍ଥି ମଜଭୁତ ପାଇଁ ଅଧିକ ପରିମାଣର କ୍ୟାଲସିୟମ୍‌, ମ୍ୟାଗ୍‌ନେସିୟମ, ଫସ୍‌ଫରସ୍‌ ପ୍ରତି ଦୃଷ୍ଟି ଦିଅନ୍ତି ।