ଦିନକୁ ଦିନ ବଢିଚାଲିଛି ଖରାର ପ୍ରକୋପ। ଗରମରେ ନିଜକୁ ଥଣ୍ଡା ରଖିବା ପାଇଁ ବହୁ ଉପାୟ ଅବଲମ୍ବନ କରିଥାଉ। ଏଥିପାଇଁ କେବଳ ଥଣ୍ଡା ଜିନିଷ ଖାଇବା ଯଥେଷ୍ଟ ନୁହେଁ। ଖାଦ୍ୟରେ ସନ୍ତୁଳନ ରକ୍ଷା କରିବା ମଧ୍ୟ ଜରୁରି। ଗରମ ଦିନେ ନିମ୍ନରେ ଦିଆଯାଇଥିବା ଖାଦ୍ୟ ଖାଇବା ମଧ୍ୟ ଉଚିତ୍ ନୁହେଁ।ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ତେଣୁ ଏହି ଋତୁରେ ଗରମ ଖାଦ୍ୟଠାରୁ ନିଜକୁ ଦୂରେଇ ରଖିବା ମଧ୍ୟ ଜରୁରି। ପ୍ରାୟଲୋକ ଗରମ ଆରମ୍ଭ ହେବା ମାତ୍ରେ ଥଣ୍ଡା ଖାଦ୍ୟ ପ୍ରତି ଆକର୍ଷିତ ହୋଇପଡିଥାନ୍ତି।
ଯେପରିକି ଫଳ, ଲସି, ଲେମ୍ବୁ ପାଣି, ନଡିଆ ପାଣି, ଫଳ ରସ, ଆଇସକ୍ରିମ୍ ଓ ଥଣ୍ଡା ପାନୀୟ ଆଦି। ଏକଥା ସତ ଯେ ଏସବୁ ଆମ ଶରୀରକୁ ଥଣ୍ଡା ରଖିଥାଏ। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି, ଯାହା ଆମକୁ ଗରମ କରିଥାଏ।ଯାହାକୁ ଖରାଦିନେ ଆଦୌ ଖାଇବା ଉଚିତ୍ ନୁହେଁ। କିନ୍ତୁ କିଛି ଲୋକ ସେସବୁ ମଧ୍ୟ ଚିନ୍ତାମୁକ୍ତ ଭାବେ ଖାଇଥାନ୍ତି। ଅବଶ୍ୟ ଏସବୁକୁ ଯଥାସମ୍ଭବ ସୀମିତ କରିଦେବା ଉଚିତ୍। ଯେପରିକି:-
ପାଳଙ୍ଗ- ଜିଙ୍କ୍, ସେଲେନିୟମ୍ ଓ ଆଇରନ୍ ପରି ପୋଷକ ତତ୍ୱରେ ଭରା ପାଳଙ୍ଗ ଗରମଜାତୀୟ ପରିବା ହୋଇଥାଏ। ତେଣୁ ଏହାକୁ ଶୀତଦିନେ ଖାଇବା ଉଚିତ୍। କିନ୍ତୁ ଗରମ ଦିନେ ଏହାକୁ ଖାଇବା ଅନୁଚିତ୍।
ଆମ୍ବ- ଖରା ଦିନ ହିଁ ଆମ୍ବର ଋତୁ। କିନ୍ତୁ ଏହି ଋତୁରେ ଅଧିକ ଆମ୍ବ ଖାଇବା ଅନୁଚିତ୍। କାରଣ ଏହାକୁ ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ତା’ ସହିତ ଶରୀରର ତାପମାତ୍ରା ମଧ୍ୟ ବଢିଥାଏ। ତେଣୁ ଯଥାସମ୍ଭବ କମ୍ ଆମ୍ବ ଖାଇବାକୁ ଚେଷ୍ଟା କରନ୍ତୁ।
ଅଣ୍ଡା- ପ୍ରୋଟିନ୍ରେ ଭରା ଅଣ୍ଡା ଶରୀରରେ ଗରମ ସୃଷ୍ଟି କରିଥାଏ। ତେଣୁ ଏହାକୁ ଗରମ ଦିନେ ଅଧିକ ଖାଇବା ଦ୍ୱାରା କିଡ୍ନୀ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ତେଣୁ ଖରାଦିନେ ଅଧିକ ଅଣ୍ଡା ନ ଖାଇବା ଉଚିତ୍।
ବାଦାମ- ସମସ୍ତ ବାଦାମଜାତୀୟ ଡ୍ରାଏଫୁଡ ମଧ୍ୟ ଗରମ ଜାତୀୟ ଖାଦ୍ୟରେ ସାମିଲ୍। ତେଣୁ ଏହାକୁ ବିଶେଷ କରି ଶୀତଦିନେ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ।
ଚିନାବାଦାମ- ଏହା ଶରୀରରେ ମେଟାବଲିଜିମ୍କୁ ତୀବ୍ର କରିଥାଏ। ଫଳରେ ରକ୍ତ ସଂଚାଳନ ବଢିଥାଏ। ଏହାଦ୍ୱାରା ଶରୀରରେ ଗରମ ଅନୁଭୂତ ହୋଇଥାଏ। ତେଣୁ ଗରମ ଦିନେ ଏହାକୁ ଖାଇବାଠାରୁ ଦୂରେଇ ରହିବା ଉଚିତ୍।
ଗାଜର- ଗାଜର ମଧ୍ୟ ଶରୀରରେ ଗରମ ସୃଷ୍ଟି କରିଥାଏ। ତେଣୁ ଏହାକୁ ମଧ୍ୟ ଗରମ ଦିନେ ଖାଦ୍ୟରେ ସାମିଲ୍ ନ କରିବା ଉଚିତ୍।