ସୁସ୍ଥ ଶରୀର ପାଇଁ କେତେ କ୍ୟାଲୋରୀ ଆବଶ୍ୟକ

ବୟସ ତୁଳନାରେ କେତେ କ୍ୟାଲୋରି ଆବଶ୍ୟକ, ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ମନରେ ….

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ମନରେ ସୁସ୍ଥ ଜୀବନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥାଏ। ଏହା ମଧ୍ୟରୁ ପ୍ରତିଦିନ ‘କେତେ କ୍ୟାଲୋରି ଗ୍ରହଣ କରିବା ଉଚିତ’ ଏକ ସାଧାରଣ ପ୍ରଶ୍ନ ମନରେ ଉଠିଥାଏ। କେହି ଓଜନ ହ୍ରାସ କରିବାକୁ ଚାହାଁନ୍ତି ତ ଆଉ କେହି ଓଜନ ବୃଦ୍ଧି କରିବାକୁ ଚାହାଁନ୍ତି। ଏପରିକି କେହି ସୁସ୍ଥ ଶରୀର ବଜାୟ ରଖିବାକୁ ଚାହାଁନ୍ତି। ତଥାପି ଯଦି କ୍ୟାଲୋରି ସନ୍ତୁଳନ ଠିକ୍‌ ଭାବରେ ବଜାୟ ରଖା ନ ଯାଏ, ତେବେ ଏହା ସ୍ଥୁଳତା, ଦୁର୍ବଳତା, ମଧୁମେହ ଏବଂ ହୃଦରୋଗ ଭଳି ବିପଦକୁ ବୃଦ୍ଧି କରିପାରେ।

କ୍ୟାଲୋରି ହେଉଛି ଆମେ ଖାଦ୍ୟରୁ ପାଉଥିବା ଶକ୍ତି ଏବଂ ଆମ ଶରୀରକୁ କାର୍ଯ୍ୟ କରିବା, ଗତି କରିବା, ଚିନ୍ତା କରିବା ଏବଂ ନିଶ୍ୱାସ ନେବା ପାଇଁ ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତିଙ୍କ ବୟସ, ଲିଙ୍ଗ, ଓଜନ, ଉଚ୍ଚତା ଏବଂ ଶାରୀରିକ କାର୍ଯ୍ୟକଳାପ ଉପରେ ନିର୍ଭର କରି ସେମାନଙ୍କର କ୍ୟାଲୋରି ଆବଶ୍ୟକତା ଭିନ୍ନ ହୋଇଥାଏ।

ଆମେ ପ୍ରତିଦିନ କେତେ କ୍ୟାଲୋରି ଉପଯୁକ୍ତ, ହାରାହାରି କ୍ୟାଲୋରି ଗ୍ରହଣ କେତେ ହେବା ଉଚିତ ଏବଂ ସୁସ୍ଥ ଜୀବନ ପାଇଁ କିପରି ସନ୍ତୁଳିତ ଖାଦ୍ୟ ବଜାୟ ରଖିବେ ଆସନ୍ତୁ ଜାଣିବା ସେ ବିଷୟରେ…

କଣ ଏହି କ୍ୟାଲୋରୀ

କ୍ୟାଲୋରି ହେଉଛି ଶକ୍ତିର ଏକ ୟୁନିଟ୍‌ ଯାହା ଆମେ ଖାଦ୍ୟ ଏବଂ ପାନୀୟରୁ ପାଇଥାଉ। ଯେତେବେଳେ ଆମେ ଖାଦ୍ୟ ଖାଉ, ଆମର ଶରୀର ଏହାକୁ ହଜମ କରେ ଏବଂ ଶକ୍ତିରେ ପରିଣତ କରେ।

ବିଶେଷ କରି ନିଶ୍ୱାସ ପ୍ରଶ୍ୱାସ ନେବା, ହୃଦସ୍ପନ୍ଦନ ଜାରି ରହିବା, ଶରୀରର ତାପମାତ୍ରା ବଜାୟ ରଖିବା, ଚଳପ୍ରଚଳ ଏବଂ ବ୍ୟାୟାମ ତଥା ମସ୍ତିଷ୍କର କାର୍ଯ୍ୟ ପାଇଁ ବିଶେଷ କରି ଏହି କ୍ୟାଲୋରି ବ୍ୟବହାର ହୋଇଥାଏ। ଯଦି ଆପଣ ଆବଶ୍ୟକତାଠାରୁ ଅଧିକ କ୍ୟାଲୋରି ଗ୍ରହଣ କରନ୍ତି, ତେବେ ଶରୀର ସେଗୁଡ଼ିକୁ ଚର୍ବି ଭାବରେ ସଂରକ୍ଷଣ କରେ, ଯାହା ଓଜନ ବୃଦ୍ଧି କରିପାରେ।

ପ୍ରତିଦିନ ଶରୀରକୁ କେତେ କ୍ୟାଲୋରି ଆବଶ୍ୟକ ହୋଇଥାଏ

ଡାକ୍ତରଙ୍କ ଅନୁସାରେ ବୟସ୍କ ମହିଳାଙ୍କୁ ୧୮୦୦ରୁ ୨୨୦୦ କ୍ୟାଲୋରି ଆବଶ୍ୟକ ହୋଇଥାଏ। ସେହିପରି ବୟସ୍କ ପୁରୁଷଙ୍କ ପାଇଁ ୨୨ ଶହରୁ ୨୮ ଶହ କ୍ୟାଲୋରୀ ଆବଶ୍ୟକ ହୋଇଥାଏ। କିଶୋର ବୟସ୍କଙ୍କ ପାଇଁ ୨ ହଜାରରୁ ୩ ହଜାର କ୍ୟାଲୋରି ଆବଶ୍ୟକ ରହିଥିବା ବେଳେ ଶିଶୁଙ୍କ ପାଇଁ ୧୪୦୦ରୁ ୨ ହଜାର କ୍ୟାଲୋରି ଆବଶ୍ୟକ ହୋଇଥାଏ।

ବୟସ: ବୟସ ବଢ଼ିବା ସହିତ ଶରୀରର ମେଟାବୋଲିଜିମ୍‌ ଧୀର ହୋଇଯାଏ, ଯାହା କ୍ୟାଲୋରି ଆବଶ୍ୟକତାକୁ ହ୍ରାସ କରିପାରେ। ସେହିପରି ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ଅଧିକ କ୍ୟାଲୋରିର ଆବଶ୍ୟକ ହୋଇଥାଏ।

ଅଧିକ ପରିଶ୍ରମ କିମ୍ବା ବ୍ୟାୟାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଅଧିକ କ୍ୟାଲୋରି ଆବଶ୍ୟକ ରହିଛି।
ସେହିପରି ଯେଉଁମାନଙ୍କ ଶରୀର ଉଚ୍ଚା କିମ୍ବା ଓଜନ ଅଧିକ ହୋଇଥାଏ ସେମାନଙ୍କୁ ଅଧିକ ଶକ୍ତିର ଆବଶ୍ୟକ ହୋଇଥାଏ। ଫଳରେ ତାଙ୍କୁ ଅଧିକ କ୍ୟାଲୋରିର ଆବଶ୍ୟକ ପଡିଥାଏ।

ଓଜନ କମାଇବା କିମ୍ବା ବଢାଇବା ପାଇଁ କ୍ୟାଲୋରି କିପରି ନିୟନ୍ତ୍ରଣ କରିଥାଏ
ଓଜନ କମାଇବା ପାଇଁ ଦୈନିକ ୫୦୦ ରୁ ୭୦୦ କ୍ୟାଲୋରି କମ ନେବାକୁ ହେବ। ଏହା ସହିତ ହାଇପ୍ରୋଟିନ ଓ ଫାଇବରଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଓଜନ କମିଥାଏ।

କ୍ୟାଲୋରିଯୁକ୍ତ ଭୋଜନ ଅଧିକ ମାତ୍ରାରେ ଗ୍ରହଣ କରିବା ଦ୍ୱାରା ଶରୀରର ଓଜନ ବଢିଥାଏ। ପ୍ରୋଟିନ ଓ କାର୍ବୋହାଇଡେଟ୍‌ଯୁକ୍ତ ଖାଦ୍ୟର ମାତ୍ରାରେ ବୃଦ୍ଧି କଲେ ମଧ୍ୟ ଶରୀର ଓଜନ ବଢିଥାଏ। ସୁସ୍ଥ ରହିବା ପାଇଁ, କେବଳ କ୍ୟାଲୋରୀ ଗଣନା ଯଥେଷ୍ଟ ନୁହେଁ, ଜୀବନଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ସୁସ୍ଥ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାର ଆବଶ୍ୟକ ରହିଛି। ଏହା ସହିତ ଦୈନିକ ଅତିକମରେ ୩୦ ମିନିଟ୍‌ ବ୍ୟାୟାମ କରିବାକୁ ହେବ। ଜଙ୍କ ଫୁଡ୍‌ ଓ ସୁଗାର ଜନିତ ଖାଦ୍ୟ କମାଇବାକୁ ପଡ଼ିବ।

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଗଭୀର ନିଦ୍ରାରେ ମଧ୍ୟ ଶୋଇବା ଜରୁରୀ। ଚିନ୍ତାଠାରୁ ଦୁରେଇ ରୁହନ୍ତୁ।