ଏସି ରିମୁଟ୍ ବ୍ୟବହାର ଜାଣନ୍ତୁ, କମ୍ ବିଜୁଳି ବିଲ ପଇଠ କରିବାର ମନ୍ତ୍ର

ମନଭରି ଥଣ୍ଡା ମଜା ନେବ ଆଉ ତା’ ସାଙ୍ଗକୁ କମ୍‌ ବିଜୁଳି ଦେୟ ପଇଠ କରିବାକୁ ଚାହୁଁଥିଲେ ଆମ ପରାମର୍ଶ ଗ୍ରହଣ କରନ୍ତୁ । ଏସି ରିମୁଟ୍‌ ରେ ମୁଡ୍‌ ନାମକ ବଟନ ଟିଏ ଅଛି । ଅଧିକାଂଶ ଲୋକ ତା’ର ବ୍ୟବହାର ଜାଣନ୍ତି ନାହିଁ । ପ୍ରତି ଏସିରେ ସାଧାରଣତଃ କୁଲ, ଡ୍ରାଏ, ଫ୍ୟାନ୍‌ ଓ ଅଟୋ ଭଳି ସୁବିଧା ରହିଛି । ପାଗ ଅନୁସାରେ ଆମକୁ ରିମୁଟ ବ୍ୟବହାର କରି ଆପଣ ଥଣ୍ଡା ଥଣ୍ଡା କୁଲ୍‌ କୁଲ୍‌ ପବନ ପାଇବେ, କମ୍‌ ବିଜୁଳି ଦେୟ ପଇଠ କରିବେ । ମନେ ରଖନ୍ତୁ କୁଲ ମୁଡ୍‌ ଅବା ଅଟୋ ମୁଡ୍‌ରେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ । ଗରମ ସମୟରେ କୁଲ ମୁଡ୍‌ ଭଲ । ବର୍ଷାରେ ଡ୍ରାଏ ମୁୂଡ୍‌ ଭଲ । ଅଟୋ ମୁଡରେ ଏସି ଦରକାର ମୁତାବକ ବିଜୁଳି ବ୍ୟବହାର କରିଥାଏ ।

ଅଧିକାଂଶ ଲୋକ ଗରମର ଶିକାର ହୋଇ ଏସିକୁ ୨୨/୨୩ ଡିଗ୍ରୀ ସେଲସିୟସ୍‌ରେ ସେଟ୍‌ କରିଦିଅନ୍ତି । କିଛି ଲୋକ ଏସି ତାପମାତ୍ରାକୁ ୧୬ ଡିଗ୍ରୀ ସେଲସିୟସ୍‌ ରଖିଦିଅନ୍ତି । ଏଭଳି କରିବା ସଂପୂର୍ଣ୍ଣ ଭୁଲ । ଏସିକୁ ୨୫/୨୬ ଡିଗ୍ରୀ ସେଲସିୟସ୍‌ରେ ଚଳାଇବା ଉଚିତ । ସେପରି କଲେ କମ୍‌ ବିଜୁଳି ଖର୍ଚ୍ଚ ହେବ ଓ ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ଜାରି ରହିବ । ଆକସ୍ମିକ ଦୁର୍ଘଟଣାର ଭୟ ରହିବନି ।

ଏସି ରିମୁଟ୍‌ ଉପରେ ଥିବା ଟାଇମର୍‌ ଓ ସ୍ଲିପ୍‌ ମୁଡ୍‌ ବଟନ୍‌ ଅତି ଦରକାରୀ । ଏହି ଦୁଇଟି ବଟନ୍‌ ଟଙ୍କା  ବଂଚାଏ ଓ ଭଲ ନିଦ୍ରା ପ୍ରଦାନ କରିଥାଏ । ଟାଇମର୍‌ ବଟନ୍‌୍‌ ଜରିଆରେ ଆପଣ ନିର୍ଦ୍ଧାରିତ ସମୟ ପରେ ଏସିକୁ ଆପେ ଆପେ ବନ୍ଦ ହୋଇଯିବାକୁ ନିର୍ଦ୍ଦେଶ ଦେଇ ବିନା ଚିନ୍ତାରେ ଶୋଇପାରିବେ । ସ୍ଲିପ୍‌ ମୋଡ୍‌ ବଟନ୍‌ ମଧ୍ୟ ଏକ ପ୍ରକାରର ସ୍ମାର୍ଟ ଟାଇମର୍‌ ।

ରିମୁଟ୍‌ ଉପରେ ଥିବା ସ୍ୱିଙ୍ଗ୍‌ ଓ ଡାଇରେକ୍ଟ ଏୟାରଫ୍ଲୋ ସିଷ୍ଟମକୁ ବୁଝିବା ଜରୁରୀ । ସ୍ୱିଙ୍ଗ୍‌ ସିଷ୍ଟମ ଜରିଆରେ ଘରଟିର ଚାରିଆଡ଼କୁ ଥଣ୍ଡା ଖେଳାଇ ହୋଇଯାଏ । ଏସିର ଏୟାର ଫ୍ଲୋ ସିଧା ଆପଣଙ୍କ ଶରୀର ଉପରେ ପଡ଼ିଲେ, ଆପଣ ଅସୁସ୍ଥ ହୋଇପାରନ୍ତି ।