ହାତ ପାପୁଲିରେ ଦିଶୁଥିବା ରେଖାଗୁଡ଼ିକ ଆପଣଙ୍କ ଜୀବନ ସଂପର୍କରେ ବହୁତ କିଛି କହିଥାନ୍ତି । ବହୁତ କମ୍ ପଣ୍ଡିତ ତାକୁ ସୂକ୍ଷ୍ମତାର ସହିତ ଅଧ୍ୟୟନ କରିପାରନ୍ତି । ଆପଣ କେତେ ଭାଗ୍ୟବାନ? କେତେ ଧନ ରୋଜଗାର କରିବେ? ସମାଜରେ କେତେ ପ୍ରତିଷ୍ଠିତ ହୋଇପାରିବେ? ସବୁ ତଥ୍ୟ ହସ୍ତରେଖାରୁ ଜଣା ପଡ଼ିଯାଏ । କିଛି ଲୋକଙ୍କ ହାତରେ ଏଭଳି କିଛି ଚିହ୍ନ ରହିଥାଏ ଯାହା ସେମାନଙ୍କ ବିଶେଷ ଗୁଣକୁ ସୂଚାଇ ଥାଏ । ସେହି ଚିହ୍ନ ଭିତରୁ କିଛି ଆପଣଙ୍କୁ ଜଣାଉଛୁ ।
ହାତରେ ସ୍ୱସ୍ତିକ ଚିହ୍ନ ଥିଲେ, ଧରିନେବାକୁ ହେବ, ଆପଣ ଜଣେ ଭାଗ୍ୟଶାଳୀ ଲୋକ । ଆପଣଙ୍କୁ ସାମାଜିକ ପ୍ରତିଷ୍ଠା ମିଳିବ । ଆପଣଙ୍କର କୌଣସି କାମ ବିଗିଡ଼ିବନି । ଆପଣଙ୍କ ଉପରେ ଶ୍ରୀଗଶେଶଙ୍କ ଅଶେଷ କୃପା ରହିଛି ।
ପାପୁଲିରେ ତ୍ରିଶୂଳ ଚିହ୍ନ ଥିଲେ, ଆପଣଙ୍କ ଜୀବନରେ ଧନର ଅଭାବ ରହିବନି । ପ୍ରତିକୂଳ ପରିସ୍ଥିତିରେ ଈଶ୍ୱର କୃପା ବଳରେ ଆପଣଙ୍କୁ ଧନ ମିଳିଯିବ । ହୃଦୟ ରେଖା ଉପରେ ତ୍ରିଶୂଳ ଚିହ୍ନ ଥିଲେ, ସେହି ବ୍ୟକ୍ତିଙ୍କ କ୍ୟାରିୟର ଅତି ଭଲ । ସୂର୍ଯ୍ୟ ପର୍ବତ ଉପରେ ତ୍ରିଶୂଳ ଚିହ୍ନ ଥିବା ଲୋକଙ୍କୁ ସରକାରୀ ଚାକିରି ବା ସରକାରୀ ଅନୁଗ୍ରହ ଲାଭ କରିଥାନ୍ତି ।
ହାତରେ ମତ୍ସ୍ୟ ଚିହ୍ନ ଅତ୍ୟନ୍ତ ଶୁଭ । କଥାରେ କହନ୍ତି, ଘରୁ ଶୁଭ କାମରେ ବାହାରକୁ ଯାଉଥିଲେ ଦହିମାଛ ଉଚ୍ଚାରଣ କରିଥାନ୍ତି । ଯୋଉ ଲୋକଙ୍କ ହାତରେ ମତ୍ସ୍ୟ ଚିହ୍ନ ଥାଏ, ସେହି ବ୍ୟକ୍ତିଙ୍କ ଜୀବନରେ ଧନର ଅଭାବ ରହେନା । କ୍ୟାରିୟରରେ ଲମ୍ବା ଡିଅାଁ ମାରିଥାନ୍ତି ।
ହାତରେ ଇଂରାଜୀ ଅକ୍ଷର ‘ଏମ୍’ ଚିହ୍ନ ଥିଲେ, ସେହି ବ୍ୟକ୍ତି ସୁଖ ସମୃଦ୍ଧି ଓ ଅପାର ଧନ ସଂପତିର ଅଧିକାରୀ ହୋଇଥାନ୍ତି ।