ଯେକୌଣସି ଦ୍ରବ୍ୟକୁ ସହଜରେ ନଷ୍ଟ କରିବା କ୍ଷେତ୍ରରେ ଉଇ ସମାଜ ଆଗରେ ରହିଛନ୍ତି । କୁହାଯାଏ, ଉଇ ପରିବାର ବର୍ଷକ ଭିତରେ ପ୍ରାୟ ୪ ହଜାର କୋଟି ଡଲାର ମୂଲ୍ୟର ଜିନିଷପତ୍ର ନଷ୍ଟ କରିଥାନ୍ତି । ଏହି ବିନାଶକାରୀ କୀଟ ସମାଜରେ ଗୋଟିଏ ଭଲ ଗୁଣ ଠାବ କରିଛନ୍ତି ଆମ ଗବେଷକ ମଣ୍ଡଳୀ । ତା’ ହେଉଛି ଉଇ ସମାଜ ଭିତରେ ପାରିବାରିକ ବନ୍ଧନ । ବିଶ୍ୱର ଶ୍ରେଷ୍ଠ ବାପା-ମା ତାଲିକାରେ ଉଇ ଦମ୍ପତି ଅଛନ୍ତି ।
ପିଲାମାନଙ୍କୁ ଲାଳନ ପାଳନ କରିବା ପାଇଁ ଉଇ ଦମ୍ପତିଙ୍କୁ କଡ଼ା ମେହେନତ କରିବାକୁ ପଡ଼ିଥାଏ । ଉଭୟ ମାତା ପିତାଙ୍କୁ କଠିନ ସଂଘର୍ଷ କରିବାକୁ ପଡ଼ିଥାଏ ବୋଲି ନିକଟରେ ପ୍ରକାଶିତ ଏକ ସର୍ବେକ୍ଷଣ ରିପୋର୍ଟ ସ୍ପଷ୍ଟ କରିଛି । ଉଇ ପରିବାର ଭିତରେ ସାନମାନେ ସର୍ବଦା ବଡ଼ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ସାନ ଶ୍ରମିକ ଉଇ ଯେତେ ପରିଶ୍ରମ କଲେ ମଧ୍ୟ ବଡ଼ର ନିର୍ଦ୍ଦେଶକୁ ବେଖାତିର କରେନାହିଁ । ଏଭଳି ଶୃଙ୍ଖଳିତ ପରିବାର ବିଶ୍ୱର ଅନ୍ୟ ପ୍ରାଣୀମାନଙ୍କ ଭିତରେ ଦେଖିବାକୁ ମିଳେନାହିଁ ବୋଲି ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଗବେଷକ ମଣ୍ଡଳୀ ଦୃଢ଼ତାର ସହ କହିଛନ୍ତି ।
ଗବେଷକଙ୍କ ମତରେ ଗୋଟିଏ ପୁରୁଷ ଓ ଗୋଟିଏ ମାଈ ଉଇ ଅଲଗା ଅଲଗା ଗୋଠରୁ ବାହାରି ଆଉ ଗୋଟିଏ ସଂସାର କରିବା ପାଇଁ ବୁଲୁଥାନ୍ତି । ଦୈବଯୋଗରୁ ସେମାନଙ୍କ ଭିତରେ ଥରେ ଭେଟ ହୋଇଯିବା ପରେ ସବୁଦିନ ପାଇଁ ବାନ୍ଧି ହୋଇ ରହିଯାନ୍ତି । ଦୁହେଁ ଶରୀରରୁ ପର ଛିଣ୍ଡାଇ ନୂଆ ସଂସାର ଗଢ଼ନ୍ତି । ପ୍ରଥମ ଥାକ ପିଲାମାନେ ବଡ଼ ହୋଇ ଦ୍ୱିତୀୟ ଥାକ ପିଲାଙ୍କ ଦେଖାଶୁଣା କରିବା ପାଇଁ ସକ୍ଷମ ହେବା ପର୍ଯ୍ୟନ୍ତ ରାଜା ଓ ରାଣୀ ଉଇଙ୍କୁ ପରିଶ୍ରମ କରିବାକୁ ପଡ଼ିଥାଏ ।
ପ୍ରଥମ ଥାକ ପିଲାମାନେ ଦ୍ୱିତୀୟ ଥାକ ପିଲାଙ୍କ ଲାଳନ ପାଳନ ଦାୟିତ୍ୱ ମୁଣ୍ଡାଇବା ମାତ୍ରେ ଉଭୟ ରାଜା ଓ ରାଣୀ ଉଇ ଆଉ ପରିଶ୍ରମ କରନ୍ତି ନାହିଁ । ଦୁହେଁ କେବଳ ପରିବାର ବୃଦ୍ଧି ପ୍ରତି ସର୍ବାଧିକ ଧ୍ୟାନ ଦିଅନ୍ତି । ଉଇ ସମାଜ ଭିତରେ ଶୃଙ୍ଖଳାଜ୍ଞାନ ଅଧିକ । କେହି କାହାକୁ ଅମାନ୍ୟ କରି ନଥାନ୍ତି । କହିଲ ଦେଖି, ଆମ ମଣିଷଙ୍କ ଭିତରେ ଏଭଳି ଶୃଙ୍ଖଳାଜ୍ଞାନ ଅଛି? ଆମ ପରିବାର ଭିତରେ ବଡ଼ମାନଙ୍କୁ ସାନମାନେ ସମ୍ମାନ ପ୍ରଦର୍ଶନ କରୁଛନ୍ତି?