Maha Shivratri: ଅଜାଣତରେ ଶିବଲିଙ୍ଗ ଉପରେ ବେଲପତ୍ର ପକାଇଥିଲା, ତ୍ରେତୟା ଯୁଗରେ ଶ୍ରୀରାମଙ୍କ ଘନିଷ୍ଠ ବନ୍ଧୁ ହୋଇଗଲା ଗୁହକ ଶବର

ଶିବ ପୁରାଣରେ ମହା ଶିବରାତ୍ରୀ ବ୍ରତ ପାଳନ କରିବାର ଫଳ ସଂପର୍କରେ ବର୍ଣ୍ଣନା କରାଯାଇଛି । ନୈମିଷ୍ୟାରଣ୍ୟରେ ଜଣେ ଶବର ତା’ର ପିଲାପିଲି ଓ ପତ୍ନୀ ସହିତ ବସବାସ କରୁଥିଲା । ଜଙ୍ଗଲରୁ ପଶୁପକ୍ଷୀ ଶିକାର କରି ତା’ର ମାଂସ ବିକି ପରିବାର ପ୍ରତିପୋଷଣ କରୁଥିଲା । କେବେ ପଶୁପକ୍ଷୀ ଶିକାର କରି ନପାରିଲେ, ପୁରା ପରିବାର ଖାଡ଼ା ଉପାସ ରହୁଥିଲେ । ଦିନକର କଥା, ଶବର ହାତରେ ଧନୁତୀର ଧରି ଜଙ୍ଗଲ ଭିତରେ ଗୋଟିଏ ପୋଖରୀ ନିକଟରେ ପହଂଚିଲା । ପୋଖରୀରୁ କିଛି ପାଣି ଗୋଟିଏ ଥଳିରେ ଭରି ହୁଡ଼ାରେ ଥିବା ଏକ ବେଲ ଗଛରେ ଚଢ଼ିଲା । ପୋଖରୀକୁ ଆସୁଥିବା ପଶୁପକ୍ଷୀ ଭିତରୁ ଗୋଟିକୁ ଶିକାର କରି ପିଲାଙ୍କ ଭୋକ ଦୂର କରିବା ତା’ର ଉଦ୍ଦେଶ୍ୟ ଥିଲା । ସକାଳୁ ସଞ୍ଜ ହୋଇଗଲା, ପୋଖରୀକୁ ଗୋଟିଏ ସୁଦ୍ଧା ପଶୁ ପାଣି ପିଇବାକୁ ଆସିଲେନି । କ’ଣ କରିବ ବିଚରା?

ପାଖରେ ଥିବା ପାଣିରୁ ଟୋପାଏ ପିଉଥିଲା । ବେଲଗଛରୁ ପତ୍ର ଛିଣ୍ଡାଇ ତଳକୁ ପକାଉଥିଲା । ଦୈବଯୋଗକୁ ସେଦିନ ଥିଲା ମହା ଶିବରାତ୍ରୀ । ଅଜ୍ଞାନୀ ମହାମୂର୍ଖ ଶବର ଶିବଙ୍କ ମନ୍ତ୍ର ଜପ କିଛି ଜାଣି ନଥିଲା ।
ସଦାଶିବଙ୍କ ନାମକୁ ଜପି ଜପି ବେଲପତ୍ର ଛିଣ୍ଡାଇ ତଳକୁ ପକାଉଥିଲା । ବେଲଗଛ ତଳେ ଗୋଟିଏ ପାତାଳି ଶିବଲିଙ୍ଗଟିଏ ଥିଲା ।

ଶବର ହାତରୁ ଖସୁଥିବା ବେଲପତ୍ର ଶିବଲିଙ୍ଗ ଉପରେ ପଡୁଥିଲା । ସନ୍ଧ୍ୟା ସମୟରେ ଗୋଟିଏ ହରିଣ ପୋଖରୀକୁ ଗଡ଼ିଲା ପାଣି ପିଇବା ପାଇଁ । ଶବର ବେଲପତ୍ର ପକାଇବା ଛାଡ଼ି ହରିଣକୁ ମାରିବା ପାଇଁ ଧନୁରେ ତୀର ଯୋଖିଲା । ତା’ରି ଭିତରେ ହରିଣଟିର ନଜର ଶବର ଉପରେ ପଡ଼ିଲା । ଶରଟି ଧନୁରୁ ଖସିବା ପୂର୍ବରୁ ହରିଣଟି ନେହୁରା ହୋଇ କହିଲା, ମୋତେ ଏବେ ମାରନି । ମୋତେ କିଛି ସମୟ ଦିଅ । ପିଲାମାନଙ୍କୁ ବୁଝାଇ ସୁଝାଇ ମୁଁ ତମ ନିକଟକୁ ଫେରିବି ।

ହରିଣ କଥାକୁ ଶୁଣି ଶବର କ’ଣ କରିବ ଭାବି ପାରିଲାନି । ଜାଣତରେ ହେଉ ଅବା ଅଜାଣତରେ; ଶିବଲିଙ୍ଗ ଉପରେ ତା’ ହାତରୁ ଖସୁଥିବା ବେଲପତ୍ର ପଡ଼ିବା କାରଣରୁ ଶବର ମନରେ ଦୟା ଜାତ ହେଲା । ସେ ହରିଣ କଥାକୁ ବିଶ୍ୱାସ କରି ତାକୁ ଛାଡ଼ିଦେଲା । ନିଜେ ପୂର୍ବଭଳି ବେଲଗଛ ଡାଳରେ ବସି ହରିଣ ଫେରିବା ବାଟକୁ ଅପେକ୍ଷା କଲା । ଅଜାଣତରେ ଗଛରୁ ବେଲପତ୍ର ଛିଣ୍ଡାଇ ଶିବଲିଙ୍ଗ ଉପରକୁ ପକାଇବାକୁ ଲାଗିଲା । ହରିଣ ଠିକ୍‌ ସମୟରେ ପହଂଚିଲା ନାହିଁ ।

ଶବର ମନରେ ନାନା ଆଶଙ୍କା ଆସିଲା । ବେଶ କିଛି ସମୟ ବିଳମ୍ବରେ ହରିଣଟି ତା’ର ପିଲାଛୁଆ ସହିତ ବେଲଗଛ ନିକଟରେ ପହଂଚିଲା । ହରିଣ ଓ ତା’ ଛୁଆଗୁଡ଼ାକୁ ଦେଖି ଶବର ଗଛରୁ ଓହ୍ଲାଇ ଆସିଲା । ମହାଦେବଙ୍କ କରୁଣାରୁ ତା’ ମନରେ ହରିଣ ଓ ତା’ର ଛୁଆମାନଙ୍କ ପ୍ରତି ଦୟା ଆସିଲା । ସେ ହରିଣଟାକୁ ତା’ ବାଟରେ ଚାଲିଯିବାକୁ କହିଲା । ହରିଣଟି ଶବର ହାତରେ ମରିବାକୁ ଜିଦ୍‌ କରି କହିଲା, ଆପଣ ମୋତେ ମାରି ଆପଣଙ୍କ ପିଲାଙ୍କ ଭୋକ ମେଂଟାଇ ଦିଅନ୍ତୁ । କିନ୍ତୁ କେଜାଣି କାହିଁକି ଶବର ମନରେ ହରିଣ ପ୍ରତି ଦୟାଭାବ ଜାତ ହୋଇଥିଲା ।

ପିଲାମାନେ ପଛେ ଉପାସ ରୁହନ୍ତୁ, ହରିଣଟିକୁ ମାରି ତା’ର ପିଲାଗୁଡ଼ାଙ୍କୁ ମା’ ଛେଉଣ୍ଡ କରିବିନି । ଏଇ କଥା ଭାବି ଶବରଟି ତା’ ପିଲାଙ୍କ ନିକଟକୁ ଚାଲିଗଲା । ପ୍ରଭୁ ଆଶୁତୋଷ ଶବର ଆଗରେ ଆବିର୍ଭାବ ହୋଇ ଆଶୀର୍ବାଦ କଲେ । ଶିବଙ୍କ ଆଶୀର୍ବାଦ ବଳରେ ସେହି ଶବର ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଙ୍କ ପ୍ରିୟ ବନ୍ଧୁ ଗୁହକ ଶବର ନାମରେ ଖ୍ୟାତ ହୋଇଥିଲା । ଶ୍ରୀରାମଙ୍କ ପ୍ରିୟ ଲୋକଙ୍କ ଭିତରେ ଗୁହକ ଶବର ଅନ୍ୟତମ । ପ୍ରଭୁ ସଦାଶିବ ହରିଣକୁ ମଧ୍ୟ ଆଶୀର୍ବାଦ କରିଥିଲେ ।