ବ୍ରେକ୍‌ ଅପ୍‌ ଦୁଶ୍ଚିନ୍ତାରୁ ଯୁବପୀଢ଼ିକୁ ମୁକ୍ତ କରିବ ନ୍ୟୁଜିଲାଣ୍ଡ

ମାନସିକ ଅବସାଦରୁ ମୁକୁଳିବା ପାଇଁ ଯୁବପୀଢ଼ିକୁ…..

ପ୍ରେମରେ ଧୋକା ଖାଉଛନ୍ତି କି? ଲଭ୍‌ ରିଲେସନ୍‌ସିପ୍‌ ବ୍ରେକ୍‌ ଅପ୍‌ ହୋଇଯାଇଛି? ନିରାଶ ହୁଅନ୍ତୁ ନାହିଁ । ପ୍ରେମିକ ଅବା ପ୍ରେମିକା; ଧୋକା ଖାଇବା ପରେ ସାମ୍ନା କରୁଥିବା ମାନସିକ ଅବସାଦକୁ ସହଜ କରିବା ପାଇଁ ନ୍ୟୁଜିଲାଣ୍ଡ ସରକାର ଆଗେଇ ଆସିଛନ୍ତି । ଖାଲି ସେତିକି ନୁହେଁ, ଆର୍ଥିକ ସହାୟତା ଦେବାକୁ ବଜେଟରେ ବଡ଼ ରକମର ରାଶି ଘୋଷଣା କରିଛନ୍ତି ।

ବ୍ରେକ୍‌ ଅପ୍‌ ଘଟଣାରେ ମର୍ମାହତ ହୋଇ ଅଧିକାଂଶ ଯୁବକ ଯୁବତୀ ଆତ୍ମହତ୍ୟା ଭଳି ପନ୍ଥା ବାଛି ନେଉଥିବାରୁ ନ୍ୟୁଜିଲାଣ୍ଡ ସରକାର ଏଭଳି ନିଷ୍ପତି ନେଇଛନ୍ତି । ମାନସିକ ଅବସାଦରୁ ମୁକୁଳିବା ପାଇଁ ଯୁବପୀଢ଼ିକୁ ତାଲିମ ଦିଆଯିବାର ବନ୍ଦୋବସ୍ତ କରାଯାଉଛି । ମାନସିକ ବିଶେଷଜ୍ଞଙ୍କ ସହଯୋଗ ନିଆଯାଉଛି ।

ଏଥିପାଇଁ ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ଲଭ୍‌ ବେଟର କ୍ୟାମ୍ପେନ୍‌’ ଆରମ୍ଭ କରାଯାଇଛି । ଅଭିଯାନକୁ ଜୋରଦାର କରିବା ପାଇଁ ୩୦ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି ।
ଅଭିଯାନ କାଳରେ ଯୁବବର୍ଗଙ୍କୁ ମାନସିକ ଅବସାଦକୁ ସାମ୍ନା କରିବା ପାଇଁ ତାଲିମ ଦିଆଯାଉଛି । ଅଭିଯାନରେ ସାମିଲ ଯୁବକ ଯୁବତୀଙ୍କ ପରିବାରକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ବ୍ରେକ୍‌ ଅପ୍‌ ଶିକାର ହେଉଥିବା ଯୁବକ ଯୁବତୀମାନେ ଯେପରି ପାରିବାରିକ ହିଂସାର ଶିକାର ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାଯାଇଛି, ନ୍ୟୁଜିଲାଣ୍ଡରେ ୧୬ ବର୍ଷରୁ ୨୪ ବର୍ଷ ବୟସର ଯୁବକ ଯୁବତୀଙ୍କ ଭିତରୁ ପ୍ରାୟ ୮୭% ବ୍ରେକ୍‌ ଅପ୍‌ ଶିକାର ହେଉଛନ୍ତି । ଉକ୍ତ ରିପୋର୍ଟକୁ ଅନୁଧ୍ୟାନ କରି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ, ଚୀନ ଭଳି ଜନବହୁଳ ଦେଶରେ ଏପରି ସରକାରୀ ଅଭିଯାନ ଆରମ୍ଭ କରାଯିବାର ଯଥାର୍ଥ ରହିଛି ।