ଅନ୍ୟକୁ ପଛରେ ପକାଇ ଆଗକୁ ମାଡ଼ିଯିବାର ଅଭ୍ୟାସଟା ସବୁବେଳେ ଜରୁରୀ ନୁହେଁ । ଜୀବନର ମାନେ ନୁହେଁ ସବୁବେଳେ ଦୌଡୁଥିବ । ଆମ ସମସ୍ତଙ୍କୁ ଆମ ଦକ୍ଷତା ଅନୁସାରେ ଆଗକୁ ଆଗେଇବା ଉଚିତ । ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରିବାର ମତଲବ ହେଉଛି ନିଜ ଦୃଷ୍ଟିରେ ଅନ୍ୟମାନଙ୍କୁ ଅଧିକ ଯୋଗ୍ୟ ଓ ଦକ୍ଷ ମଣିବା । ଏପରି ଭାବନା ମଣିଷ ପାଇଁ ଆଦୌ ରୁଚିକର ନୁହେଁ । ସମୟ ସମୟରେ ଏପରି ଭାବନା ମଣିଷକୁ ମରଣ ଆଡ଼କୁ ବାଟ କଢ଼ାଇ ନେଇଯାଏ ।
ପ୍ରେମିକାକୁ ନପାଇ ପ୍ରେମିକର ଆତ୍ମହତ୍ୟା । ଚାକିରି ନପାଇ ଯୁବକର ଆତ୍ମହତ୍ୟା । ପରୀକ୍ଷାରେ ଫେଲ ହେବାର ଆଶଙ୍କା କରି ପଙ୍ଖାରୁ ଝୁଲିପଡ଼ିଲେ ନାବାଳକ । ଆଜିକାଲି ଏଭଳି ବହୁତ ଖବର ଆମ ଦୃଷ୍ଟିରେ ପଡୁଛି ।
ଏସବୁ ଖବରଗୁଡ଼ିକୁ ଭଲ କରି ଅନୁଧ୍ୟାନ କଲେ କୋଉଠି ନା କୋଉଠି ଲଢୁଆ ମନୋଭାବ ଉଙ୍କି ମାରୁଛି ନିଶ୍ଚିତ । ବିଶେଷ କରି ଅନ୍ୟକୁ ଆଗକୁ ମାଡ଼ିଯିବାର ଦେଖିଲେ ତା’ର ଗୁରୁତର ପ୍ରଭାବ ଆପଣଙ୍କ ମନକୁ ବିକାର କରେ ।
ଗୋଟିଏ କଥାକୁ ସତ ମଣି ଆଗକୁ ଚାଲିବା ଶିଖନ୍ତୁ । ତା’ ହେଉଛି ବିକଳ୍ପ । ଭାବୁଥିଲେ ଆଇଏଏସ୍ ଅଧିକାରୀଟିଏ ହେବେ ବୋଲି, ମାତ୍ର ପରିବେଶ ବା ପରିବାର ଚାପ ଆପଣଙ୍କ ସପକ୍ଷରେ ଗଲାନି । ତା’ମାନେ ନୁହେଁ ବଂଚିବାର ସବୁ ବାଟ ବନ୍ଦ ହୋଇଗଲା । ଭଲ କିରାଣୀ ହେବାକୁ ଚେଷ୍ଟା କର । ପଛଘୁଂଚା ନାହିଁ ବୀରର ଜାତକେ ।