ପ୍ରେମ ନିକଟରେ ହାର ମାନିଛି ବୟସ । ୭୦ ବର୍ଷ ବୟସର କନ୍ୟାଙ୍କୁ ଜୀବନସାଥୀ ରୂପେ ବରଣ କରିଛନ୍ତି ୩୭ ବର୍ଷର ଯୁବକ । ଦୁହେଁ ଦୁହିଁଙ୍କୁ ପାଇ ବେଶ ଖୁସି ଅଛନ୍ତି । ବିବାହ ପରେ ୭୦ ବର୍ଷୀୟା କିଶୋର ବିବି ହନିମୁନ ପାଇଁ କରାଚୀ ଯିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବୟସ ୭୦ ମାତ୍ର ମନଟି ଏବେ ବି ୨୫ ବୋଲି ଗଣମାଧ୍ୟମକୁ କହିଛନ୍ତି କିଶୋର । ପିଲାଦିନରୁ ଇଫ୍ତିକାର ଓ କିଶୋର ପରସ୍ପରକୁ ପସନ୍ଦ କରିଥିଲେ । ମାତ୍ର ବୟସର ବିରାଟ ବ୍ୟବଧାନ କାରଣରୁ ଦୁହିଁଙ୍କ ପରିବାର ସେମାନଙ୍କ ବିବାହକୁ ବାରଣ କରିଥିଲେ । କିଶୋରଙ୍କଠାରୁ ଇଫ୍ତିକାର ବୟସରେ ୩୩ ବର୍ଷ ସାନ ଥିଲେ । ଇଫ୍ତିକାରଙ୍କୁ ନପାଇ କିଶୋର ଅବିବାହିତ ରହିବାକୁ ନିଷ୍ପତି ନେଲେ । ୟା’ ଭିତରେ ଇଫ୍ତିକାର ଅନ୍ୟତ୍ର ବିବାହ କଲେ; ୬ଟି ସନ୍ତାନର ଜନକ ମଧ୍ୟ ହୋଇଗଲେ । ଦୁହିଁଙ୍କ ପରିବାର ବିବାହକୁ ସିନା ପ୍ରତିବାଦ କରିଥିଲେ; ମାତ୍ର ସମୟ ପାଇଲେ, କିଶୋର ଓ ଇଫ୍ତିକାର ପାର୍କରେ ପରସ୍ପରକୁ ଭେଟୁଥିଲେ ।
ସାଧାରଣତଃ ଜଣେ ବିବାହିତ ମହିଳା ସ୍ୱାମୀଙ୍କର ଦ୍ୱିତୀୟ ବିବାହକୁ ଘୋର ବିରୋଧ କରିଥାନ୍ତି । ମାତ୍ର ଇଫ୍ତିକାରଙ୍କ ପତ୍ନୀ ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ ସମ୍ମତି ପ୍ରଦାନ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବରେ ଇଫତିକାରଙ୍କ ପ୍ରଥମ ପତ୍ନୀ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି । କିଶୋର ତାଙ୍କର ପିଲାଦିନର ପ୍ରେମ । ସ୍ୱାମୀଙ୍କ ଇଛାକୁ ସମ୍ମାନ ଦେବା ପତ୍ନୀର ଧର୍ମ । ସେ ତାଙ୍କର ଧର୍ମ ପାଳନ କରିଛନ୍ତି ମାତ୍ର ।
ଇଫ୍ତିକାର ଏବେ କିଶୋରଙ୍କୁ ଅଧିକ ସମୟ ଦେବାକୁ ରାଜି ଅଛନ୍ତି । ୭୦ ବର୍ଷ ବୟସର କିଶୋରୀଙ୍କ ସହ ଇଫ୍ତିକାରଙ୍କ ବିବାହ ସମ୍ପର୍କରେ ବରପିତା ଓ ମାତା ପ୍ରତିକ୍ରିୟାରେ କହିଛନ୍ତି ଯେ ଏତେବର୍ଷ ଧରି ଦୁହିଁଙ୍କ ଭିତରେ ପ୍ରେମ ରହିଛି । ତେଣୁ ପୁଅର ଦ୍ୱିତୀୟ ବିବାହକୁ ପ୍ରତିବାଦ କରିବାର ପ୍ରଶ୍ନ ଉଠୁନି । ଦୁହିଁଙ୍କ ବିବାହ ଏବେ ପାକିସ୍ତାନରେ ପ୍ରଧାନ ଆଲୋଚନା ପାଲଟିଛି ।