ଖରାଦିନ ଆସିଲାଣି । ପାଣି ମୁନ୍ଦେ ପାଇଁ ଦୋକାନରେ ଗହଳି ଜମିବ । ବାଟରେ ଘାଟରେ ସବୁଠି ପାଣି ମିଳିବ । କିନ୍ତୁ ସବୁ ପାଣି ପାନୀୟ ଉପଯୋଗୀ! କୀଟାଣୁମୁକ୍ତ ପାଣି ମିଳିବା କଷ୍ଟକର । ଦୋକାନରେ ମିଳୁଥିବା ପ୍ଲାଷ୍ଟିକ ବୋତଲ ପାଣି ହେଉ କି ପାଉଚ୍ ପାଣି; ମୁହଁ ଲଗାଇ ପିଉଛନ୍ତି ମାନେ ବିଷାକ୍ତ ପାଣି ପିଉଛନ୍ତି । ଦୋକାନରେ ରଖା ଯାଇଥିବା ପାଣି ବୋତଲଗୁଡ଼ିକ ନିୟମିତ ସଫାସୁତରା କରାଯାଉ ନଥିବାରୁ ସେଥିରେ ମୁହଁ ଲଗାଇ ପିଇବା ଅନୁଚିତ । ଏପରିକି ଘରେ ନିୟମିତ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍ ବୋତଲଗୁଡ଼ିକରେ ମଧ୍ୟ ମୁହଁ ଲଗାଇ ପିଇବା ଫଳରେ ବିଷାକ୍ତ ଜୀବାଣୁ ଶରୀର ଭିତରକୁ ଯାଉଛନ୍ତି ବୋଲି ଆମେରିକାର ଏକ ଗବେଷଣା ସଂସ୍ଥା କହିଛି ।
ଉକ୍ତ ସର୍ବେକ୍ଷଣ ସଂସ୍ଥା ମତରେ ବାରମ୍ବାର ବ୍ୟବହାର କରାଯାଉଥିବା ପାଣି ବୋତଲ ମୁହଁରେ ଯେତିକି ପରିମାଣର ଜୀବାଣୁ ରହୁଛନ୍ତି, ତା’ର ପରିମାଣ ଆପଣଙ୍କ ଟଏଲଟ୍ ବେସିନରେ ରହୁଥିବା ରୋଗ ସୃଷ୍ଟିକାରୀ ଜୀବାଣୁର ପ୍ରାୟ ୪୦ ହଜାର ଗୁଣା । ଯୋଉ ଲୋକମାନେ ବାରମ୍ବାର ପ୍ଲାଷ୍ଟିକ୍ ବୋତଲକୁ ଧୁଆଧୋଇ କରି ଭାବୁଛନ୍ତି ବୋତଲଟି ସଫା ହୋଇଗଲା; ସେମାନେ ଭୁଲ ଭାବୁଛନ୍ତି ।
ପ୍ଲାଷ୍ଟିକ୍ ବୋତଲ ମୁହଁରୁ ସହଜରେ ଜୀବାଣୁ ନଷ୍ଟ ହୁଅନ୍ତିନି । ପ୍ଲାଷ୍ଟିକ୍ ବୋତଲକୁ ଥରେମାତ୍ର ବ୍ୟବହାର କରାଯାଇପାରେ । ପ୍ଲାଷ୍ଟିକ୍ ବୋତଲରେ ଦୁଇ ପ୍ରକାର ଜୀବାଣୁ ମିଳନ୍ତି । ସେଗୁଡ଼ିକୁ ଗ୍ରାମ୍-ନେଗେଟିଭ ବ୍ୟାକ୍ଟେରିଆ ଓ ବାସିଲେସ୍ ବ୍ୟାକ୍ଟେରିଆ କୁହାଯାଏ । ଗ୍ରାମ୍-ନେଗେଟିଭ ଏକାଧିକ ସଂକ୍ରମଣ କରିଥାଏ । ବାସିଲେସ ପାକସ୍ଥଳୀ ଓ ଅନ୍ତଃନାଳୀଗୁଡ଼ିକୁ ସଂକ୍ରମଣ କରିଥାଏ । ତେବେ ଏହାର କ’ଣ ପ୍ରତିକାର ନାହିଁ । ଅଛି, ପ୍ରତି ଦୁଇଦିନରେ ଥରୁଟିଏ ପ୍ଲାଷ୍ଟିକ ବୋତଲଗୁଡ଼ିକୁ ଗରମ ପାଣିରେ ବୁଡାଇ ରଖନ୍ତୁ । ନଚେତ୍ ସାବୁନ ପାଣିରେ ଭଲ କରି ଧୁଅନ୍ତୁ । ନଚେତ୍ ସାନିଟାଇଜ କରନ୍ତୁ ।