ଜୀବନଟାକୁ ଆନନ୍ଦରେ କାଟିବାକୁ ହେଲେ କିଛି କଥା ଗୋପନ ରଖିବାକୁ ପଡ଼ିଥାଏ । ତା’ ନହେଲେ ଜୀବନଟା ଅଭିଶାପ ପାଲଟିଯାଏ । ଆପଣଙ୍କ ହିତ ପାଇଁ ତେଣୁ ମହାନ ସାଧୁ ସନ୍ଥ ଙ୍କର ଗୋଟିଏ ଉପଦେଶ ଯାହାକି ମାନିଲେ ଆପଣଙ୍କର ଜମାରୁ କ୍ଷତି ହେବନି।
ପ୍ରଥମ ଉପଦେଶ ହେଲା ଆପଣଙ୍କ ଆୟ । ମାସକୁ କେତେ ରୋଜଗାର କରୁଛନ୍ତି । କାହାକୁ କୁହନ୍ତୁନି । କମ୍ ଟଙ୍କା ରୋଜଗାର କରୁଛନ୍ତି କହିଲେ ଲୋକମାନେ ଆପଣଙ୍କୁ ହେୟ ମଣିବେ । ଆପଣଙ୍କ ପାଖରେ ବସିବାକୁ ନାପସନ୍ଦ କରିବେ । ଅଧିକ ରୋଜଗାର କରୁଛନ୍ତି କହିଲେ ମହୁଫେଣା ଭାବି ବେଶି ମିଳାମିଶା କରିବେ । ସମୟ ସୁଯୋଗ ଦେଖି ଉଧାର ମାଗିବେ । ଆପଣ ଟଙ୍କା ଦେବାକୁ ମନା କଲେ ଆପଣଙ୍କୁ ସ୍ୱାର୍ଥପର ଓ ଅହଂକାରୀ ମଣିବେ । ଟଙ୍କା ଦେଇ ପରେ ମାଗିଲେ ଶତ୍ରୁ ହୋଇଯିବେ ।
ଦ୍ୱିତୀୟ ଉପଦେଶ ହେଉଛି ଆପଣଙ୍କ ଅସହାୟତା ବା ଦୁର୍ବଳତା । ପରକୁ ଆପଣାର ଭାବି ମନର ଦୁର୍ବଳତା ବା ଅସହାୟତା ପ୍ରକାଶ କରନ୍ତୁ ନାହିଁ । ଆପଣଙ୍କ ଦୁର୍ବଳତା ଅନ୍ୟମାନେ ଜାଣିବା ମାତ୍ରେ ଆପଣଙ୍କଠାରୁ ଦୂରେଇବା ଆରମ୍ଭ କରିଦେବେ । ସାଙ୍ଗସାଥୀଙ୍କ କଥା ଛାଡ଼ନ୍ତୁ, ମା’ ପେଟରୁ ଜନ୍ମିତ ଭାଇଭଉଣୀ ମଧ୍ୟ ଦୂରେଇଯିବେ । ଆଶଙ୍କା, କାଳେ ଆପଣ ସେମାନଙ୍କୁ ଆର୍ଥିକ ସହାୟତା ମାଗିବେ ।
ଅଧିକାଂଶ ଲୋକ ଆପଣଙ୍କ ଦୁର୍ବଳତାର ସୁଯୋଗ ନେଇ ଶୋଷଣ କରିବେ । ଅଧିକ ଖଟାଇ କମ ପାରିଶ୍ରମିକ ଦେବେ । ଏପରି ହେଲେ ନା ଆପଣଙ୍କର ଅଭାବ ଅସୁବିଧା ଦୂର ହେବ ନା ଆପଣଙ୍କ ସାମାଜିକ ପ୍ରତିଷ୍ଠା ବଜାୟ ରହିବ । ଲୋକମାନେ ଆପଣଙ୍କୁ ହୀନ ଦୃଷ୍ଟିରେ ଦେଖିବେ । ଆପଣଙ୍କୁ ନଚାଇବା ଆରମ୍ଭ କରିବେ ।
ତୃତୀୟ ଉପଦେଶ ହେଉଛି ଆପଣଙ୍କ ଅତୀତ ଓ ଭବିଷ୍ୟତ ଯୋଜନା । କିଛି ଲୋକ ଅଛନ୍ତି ଅନ୍ୟକୁ ଆପଣାର ମଣି ଅତୀତରେ କରିଥିବା ତ୍ରୁଟିଗୁଡ଼ିକ ବଖାଣିଥାନ୍ତି । ସବୁବେଳେ ଦିନ ସମାନ ନଥାଏ । ଯଦି କୌଣସି କାରଣରୁ ସେହି ସାଙ୍ଗଟି ସହିତ ମନାନ୍ତର ହୋଇଯାଏ, ତେବେ ସେହି ସାଙ୍ଗଟି ପରମ ଶତ୍ରୁ ଭଳି କାମ କରିବ । ଆପଣଙ୍କ କୃତକର୍ମକୁ ଅନ୍ୟମାନଙ୍କ ଆଗରେ ଗାଇବୁଲିବ । ଆପଣ ତା’ ପାଟିରେ ତାଲା ପକାଇପାରିବେ?
ସେମିତି କିଛି ଲୋକ ଅଛନ୍ତି, ଅନ୍ୟମାନଙ୍କ ଆଗରେ ଭବିଷ୍ୟତ ଯୋଜନା ସଂପର୍କରେ ଗାଇବୁଲନ୍ତି । ଏପରି କରିବା ଫଳରେ ସେମାନେ ଯେ ନିଜ ଗୋଡ଼ରେ କୁରାଢ଼ି ମାରୁଛନ୍ତି ସେ କଥା ଭୁଲିଯାନ୍ତି । ମନେରଖନ୍ତୁ ଯେତେ ଘନିଷ୍ଠ ଲୋକ ହୋଇଥିଲେ ମଧ୍ୟ କେବେ କାହା ଆଗରେ ଭବିଷ୍ୟତ ଯୋଜନା କହିବେନି । ଏହାର ଦୁଇଟା ଫାଇଦା ଅଛି । ପ୍ରଥମଟି, ଆପଣଙ୍କ ଭବିଷ୍ୟତ ଯୋଜନା ଜାଣିବା ପରେ ପ୍ରତିପକ୍ଷ ଆପଣଙ୍କ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି । ଦ୍ୱିତୀୟ କଥା ହେଲା, ଆପଣ ଲକ୍ଷ୍ୟ ସ୍ଥଳରେ ନପହଂଚି ପାରିଲେ, ଲୋକମାନେ ଆପଣଙ୍କୁ ତାତ୍ସଲ୍ୟ କରିବେ । ଆପଣ ଉପହାସର ପାତ୍ର ହେବେ । ଅତୀତର ଭୁଲକୁ ସଜାଡ଼ି ନିଅନ୍ତୁ, ଭବିଷ୍ୟତ ଯୋଜନା ମନ ଭିତରେ ସାଇତି ରଖନ୍ତୁ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଥିବା ସୂଚନା ବିଭିନ୍ନ ମାଧ୍ୟମ / ଜ୍ୟୋତିଷ / ଆଲମାନାକ / ବକ୍ତବ୍ୟ / ବିଶ୍ୱାସ / ଶାସ୍ତ୍ରରୁ ସଂଗ୍ରହ କରିବା ପରେ ଆପଣଙ୍କ ନିକଟକୁ ଅଣାଯାଇଛି । । ଆମର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ କରିବା । )