ସାର୍ବଜନୀନ ସ୍ଥାନରେ ସିଗାରେଟ୍ ଧୁଆଁ ଛାଡ଼ିବା ଯୁକ୍ତିସଂଗତ !

ସାର୍ବଜନୀନ ସ୍ଥାନରେ ସିଗାରେଟ୍ ଧୁଆଁ ଛାଡ଼ିବା ଯୁକ୍ତିସଂଗତ !

ଜଣେ ମହିଳା ଟ୍ରେନ ବଗି ଭିତରେ ବସି ସିଗାରେଟ୍ ଟାଣୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଉକ୍ତ ଦୃଶ୍ୟକୁ ଦେଖିବା ପରେ ସାଧାରଣ ଲୋକଙ୍କ ଭିତରେ ବିତର୍କର ସୂତ୍ରପାତ ହୋଇଛି ।

ସାଧାରଣ ଲୋକ ଚଳପ୍ରଚଳ କରୁଥିବା ସ୍ଥାନରେ ସିଗାରେଟ୍ ଟାଣିବା ଠିକ ନା ଭୁଲ? ଅପରାଧ ନା ନିରପରାଧ? ତାକୁ କେନ୍ଦ୍ର କରି ନାନା ଲୋକ ନାନା ମତ ପ୍ରଦାନ କରିଛନ୍ତି ।

ଟ୍ରେନ ଅବା ବସ୍, ଷ୍ଟେସନ୍ ଅବା ବସଷ୍ଟାଣ୍ଡ, ବଜାର ଅବା ଛକ, ଏଭଳି ସ୍ଥାନରେ ସିଗାରେଟ୍ ଅବା ବିଡ଼ି ଟାଣିବା ଉପରେ ପ୍ରଶାସନିକ କଟକଣା ରହିଛି । ମାତ୍ର ଦଣ୍ଡନୀୟ ଅପରାଧ ତାଲିକାଭୁକ୍ତ କରାଯାଇନି ।

ନୈତିକ ମୂଲ୍ୟବୋଧକୁ ଦୃଷ୍ଟି ଦେଇ ସାଧାରଣ ଲୋକଙ୍କ ସମାଗମ ସ୍ଥାନରେ ସିଗାରେଟ୍ ଟାଣିବା ଅନୁଚିତ । ସମସ୍ତେ ଜାଣନ୍ତି, ସିଗାରେଟ୍ ଅବା ବିଡ଼ି ଧୂଅାଁ ଶରୀର ପାଇଁ କ୍ଷତିକାରକ ।

କିନ୍ତୁ କିଛି ବାହାଦୁର ପୁରୁଷ ଓ ବୁଦ୍ଧିମତୀ ମହିଳା ଅଛନ୍ତି ଯୋଉମାନଙ୍କ ଦୃଷ୍ଟିରେ ନୈତିକ ମୂଲ୍ୟବୋଧ ଏକ ମାମୁଲି ଶବ୍ଦ ।

ମହିଳା ଜଣକ ସିଗାରେଟ୍ ଟାଣୁଥିବାର ଦେଖି ଜଣେ ସହଯାତ୍ରୀ ତାଙ୍କ ମୋବାଇଲ ଫୋନ୍ ଜରିଆରେ ଭିଡିଓ ସୁଟିଂ କରୁଥିଲେ । ତାକୁ ଦେଖି ତୀବ୍ର ପ୍ରତିବାଦ କରିଥିଲେ ମହିଳା ଜଣକ ।

ଅବଶ୍ୟ ତା’ ପୂର୍ବରୁ ପୁରୁଷ ସହଯାତ୍ରୀ ଜଣକ ମହିଳାଙ୍କୁ ବିନମ୍ରତାର ସହ ଟ୍ରେନ ବଗି ବାହାରକୁ ଯାଇ ସିଗାରେଟ୍ ଟାଣିବାକୁ ଅନୁରୋଧ କରିଥିଲେ । କିନ୍ତୁ ମହିଳା ଜଣକ ତାଙ୍କ ଉପଦେଶକୁ ଶୁଣି ନଶୁଣିବାର ଅଭିନୟ କଲେ ।

ପୁରୁଷ ସହଯାତ୍ରୀ ଭିଡିଓ ସୁଟିଂ କରୁଥିବାର ଦେଖି ମହିଳା ଜଣକ ଚିକ୍ରାର କରି କହିଲେ, ଆପଣ ମୋର ଭିଡିଓ ସୁଟିଂ କରୁଛନ୍ତି, ଏଇଟା ସଂପୂର୍ଣ୍ଣ ଭୁଲ । ଯାହା ସୁଟିଂ କରିଛନ୍ତି, ତାକୁ ଉଡ଼ାଇ ଦିଅନ୍ତୁ ।

ପୁରୁଷ ଜଣକ ଜବାବ ଦେଲେ, ସାଧାରଣ ସ୍ଥାନରେ ଧୂମପାନ କରିବା ବେଆଇନ । ମହିଳା ଜଣକ ରାଗିଯାଇ ବଡ଼ପାଟିରେ କହିଲେ, ଆପଣଙ୍କ ପଇସାରେ ସିଗାରେଟ୍ ଟାଣୁନି । ଏଇଟା ଆପଣଙ୍କ ଟ୍ରେନ ନୁହେଁ । ଯାଅ ପୁଲିସକୁ ଡାକି ଆଣ ।

ପାଟିତୁଣ୍ଡ ବଢ଼ିଲା, ସୁଟିଂ କରାଯାଇଥିବା ଭିଡିଓଟି ସୋସିଆଲ ମିଡିଆକୁ ଚାଲିଗଲା ।