ଜାତକରେ କ’ଣ ପାଇଁ ପିତୃଦୋଷ?

ସୁଖଶାନ୍ତି ଓ ସମୃଦ୍ଧି ପାଇଁ କରନ୍ତୁ ଉପାୟ……

ପିତୃପକ୍ଷ ଆରମ୍ଭ ହେବା କ୍ଷଣି କୋଟିକୋଟି ଜନତା ପବିତ୍ର ପୀଠଗୁଡ଼ିକରେ ସେମାନଙ୍କର ପିତୃପୁରୁଷଙ୍କ ଆତ୍ମାର ସଦ୍‌ଗତି ପାଇଁ ଶ୍ରାଦ୍ଧ ଓ ତିଳତର୍ପଣ କରିଥାନ୍ତି । ପିତୃପୁରୁଷଙ୍କ ଆତ୍ମା ଶାନ୍ତିରେ ରହିଲେ, ପରିବାରରେ ସମସ୍ତେ ସୁଖଶାନ୍ତି ଲାଭ କରନ୍ତି । ପ୍ରତ୍ୟେକ କାମରେ ସଫଳତା ମିଳିଥାଏ । କୌଣସି କାମ ଅଟକି ରହେନା । ବଡ଼ବଡ଼ ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ । ପିତୃଦୋଷ କାରଣରୁ ଜାତକକୁ ଯାବତୀୟ ଜଞ୍ଜାଳ ଭିତର ଦେଇ ଗତି କରିବାକୁ ପଡେ଼ । ସୁଖଶାନ୍ତି ପଛରେ ଦୌଡ଼ିଲେ ମଧ୍ୟ ମିଳେନାହିଁ । ସାଧାରଣତଃ ଜାତକରେ ରାହୁଙ୍କ ସ୍ଥିତିରୁ ପିତୃଦୋଷ ଜାଣିହୁଏ । ପିତୃଦୋଷ ଥିବାର ଜାଣିଲେ ବ୍ୟସ୍ତ ଓ ବିବ୍ରତ ନହୋଇ ସେଥିରୁ ମୁକୁଳିବାର ଉପାୟ କରିବା ଉଚିତ ।

ଜାତକରେ ପିତୃଦୋଷ ଥିଲେ, ଉନ୍ନତିର ସବୁ ବାଟ ବନ୍ଦ ହୋଇଯାଏ । ଜାତକକୁ ବହୁ ମାନସିକ ଅଶାନ୍ତି ଓ ଶାରୀରିକ କଷ୍ଟ ଭୋଗିବାକୁ ପଡ଼ିଥାଏ । କୋଟିକୋଟି ଟଙ୍କା ଉପାର୍ଜନ କଲେ ମଧ୍ୟ ପରିବାର ଭିତରେ କେହି ଖୁସିରେ ରହିପାରନ୍ତି ନାହିଁ । ଜାତକ କୌଣସି କାର୍ଯ୍ୟରେ ସହସା ନିଷ୍ପତି ନେଇପାରନ୍ତି ନାହିଁ । ପରୀକ୍ଷା ଓ ସାକ୍ଷାତକାରରେ କେବଳ ବିଫଳତା ମିଳେ । ସନ୍ତାନ ପାଇବାରେ ନାନା ବାଧା ଦେଖାଦିଏ ।

କେଉଁ କାରଣରୁ ପିତୃଦୋଷ?
ପୂର୍ବଜନ୍ମରେ ପିତାମାତାଙ୍କ ସେବାରେ ଅବହେଳା କରିଥିଲେ, ସରକାରୀ ପଦପଦବୀ ଓ କ୍ଷମତାର ଅପବ୍ୟବହାର କରିଥିଲେ, ଜାତକରେ ପିତୃଦୋଷ ରହିଥାଏ । ଜାତକର କୌଣସି ଘରେ ରାହୁ ସହିତ ସୂର୍ଯ୍ୟ ଅଥବା ଚନ୍ଦ୍ର ରହିଥିଲେ, ଗୁରୁଚଣ୍ଡାଳ ଦୋଷ ଥିଲେ, ଚାରୋଟି କେନ୍ଦ୍ର ଗ୍ରହଶୂନ୍ୟ ଥିଲେ, ପିତୃଦୋଷ ଥିବାର ଜାଣିବ ।

ପିତୃଦୋଷର ନିରାକରଣ
ପିତୃଦୋଷରୁ ମୁକ୍ତି ପାଇବା ପାଇଁ ଯେକୌଣସି ଅମାବାସ୍ୟା ତିଥିରେ ଗରିବ ଲୋକକୁ ଭୋଜନ କରାଇବ । ଭୋଜନରେ ଖିରି ନିଶ୍ଚିତ ଭାବେ ଦେବ । ଅଶ୍ୱତ୍‌ଥ ଗଛ ରୋପଣ କରି ତା’ର ଯତ୍ନ ନେବ । ନିୟମିତ ଶ୍ରୀମଦ୍‌ ଭାଗବତ ଗୀତା ପାଠ କରିବ । ଦୈନିକ ସନ୍ଧ୍ୟା ସମୟରେ ଠାକୁରଙ୍କୁ ଦୀପ ଦାନ କରିବ ।