‘ବରା’ ମଝିଭାଗରେ କଣା ଥାଏ କାହିଁକି?
ଦକ୍ଷିଣ ଭାରତର ଲୋକପ୍ରିୟ ଜଳଖିଆ ହେଉଛି ‘ବରା’ । ତଟକା ‘ବରା’ ମଜା ଆଉ କୌଣସି ଜଳଖିଆରେ ନାହିଁ । ପ୍ରତ୍ୟେକ ଲୋକ ତାଙ୍କ ଜୀବନ କାଳ ଭିତରେ ଅନ୍ତତଃ ପକ୍ଷେ ଥରୁଟିଏ ‘ବରା’ ଚାଖିଥିବେ ।
ଆପଣ ଜାଣନ୍ତି, ବରା’ ମଝିରେ କଣାଟିଏ କାହିଁକି ରହିଥାଏ । ଅଧିକାଂଶ ଲୋକ ଏଭଳି ପ୍ରଶ୍ନକୁ ହସରେ ଉଡ଼େଇ ଦେବେ । କିନ୍ତୁ ଅସଲ କଥା ହେଉଛି ଆମମାନଙ୍କ ଭିତରୁ ଅଧିକାଂଶ ଲୋକ ଏ ପ୍ରଶ୍ନର ସଠିକ୍ ଜବାବ ଜାଣି ନଥିବେ । କିଛି ଲୋକ କହିପାରନ୍ତି, ବରା’କୁ ଆକର୍ଷଣୀୟ କରିବା ପାଇଁ ତା’ ମଝିରେ କଣାଟିଏ କରି ଦିଆଯାଏ ।
କିନ୍ତୁ ସଠିକ ଜବାବ ତାହା ନୁହେଁ । ‘ବରା’ ଛଣା କାମରେ କଣାଟିର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଆପଣ ଜାଣନ୍ତି, ବିରିଡାଲିକୁ ଚୂନା କରି ବରା ତିଆରି କରାଯାଏ । ‘ବରା’ଟିକୁ ଗୋଲାକାର କରି ତେଲ କଡେଇରେ ପକାଇଲେ, ତା’ର ବାହାର ପାଖଟି ଭଲ କରି ସିଝିଯାଏ, କିନ୍ତୁ ଭିତର ପାଖଟି ଭଲ କରି ସିଝେନା ।
ଭିତରଟି କଂଚା ରହିଲେ ‘ବରା’ ଆଦୌ ସୁଆଦିଆ ଲାଗେନା । ବରା’ ମଝିଭାଗରେ କଣାଟିଏ କରି ତାକୁ ତେଲ କଡେଇରେ ପକାଇ ଦେଲେ, ତା’ର ଭିତର ଓ ବାହାର ଭଲ ଭାବରେ ସିଝିଯାଏ । ପାଟିକୁ ସୁଆଦିଆ ଲାଗେ ।
ଗରମ ତେଲ ବରାଟିର ଭିତର ବାହାର ଚାରିଆଡ଼କୁ ସମାନ ଭାବରେ ଖେଳିଯାଏ । ଫଳରେ ବରାଟିର ଭିତର କଂଚା ରହେନା । କଣା ରହିବା କାରଣରୁ ଗରମ ତେଲ ବରାକୁ ସ୍ୱାଦିଷ୍ଟ କରିଦିଏ ।