ଅଶାନ୍ତ ନେପାଳ: କାଠମାଂଡୁ ହୋଟେଲରୁ ତଳକୁ ଡେଇଁ ମଲେ ଭାରତୀୟ ମହିଳା ପର୍ଯ୍ୟଟକ

ଅଶାନ୍ତ ନେପାଳରେ ବହୁ ଭାରତୀୟ ଦଙ୍ଗାର ଶିକାର ହୋଇ ହୀନସ୍ତା ଭୋଗୁଛନ୍ତି । ନେପାଳର ପଶୁପତିନାଥ ମନ୍ଦିର ବୁଲିବାକୁ ଯାଇଥିବା ହଳେ ଭାରତୀୟ ଦମ୍ପତି ଜଳନ୍ତା ହୋଟେଲର ଚତୁର୍ଥ ମହଲାରୁ ତଳକୁ ଡେଇଁ ଲହୁଲୁହାଣ ହୋଇଛନ୍ତି ।

୫୫ ବର୍ଷୀୟା ପତ୍ନୀ ରଜେଶ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମହିଳାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ନେପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଘଟଣାରୁ ପ୍ରକାଶ, ଗାଜିଆବାଦ ନିବାସୀ ରାମବୀର ସିଂ ଗୋଲା ଓ ତାଙ୍କ ପତ୍ନୀ ରଜେଶ ସେପ୍ଟେମ୍ବର ୭ ତାରିଖ ଦିନ ନେପାଳ ଯାଇ କାଠମାଂଡୁ ସ୍ଥିତ ହୋଟେଲ ‘ହ୍ୟାଟ୍ଟ୍ ରିଜେନ୍ସି’ର ଚତୁର୍ଥ ମହଲାରେ ଅବସ୍ଥାନ କରିଥିଲେ ।

ରାତି ପ୍ରାୟ ସାଢ଼େ ୧୧ଟାରେ ଦଙ୍ଗା ସୃଷ୍ଟିକାରୀ ପଲ ହୋଟେଲରେ ନିଅାଁ ଲଗାଇ ଦେଲେ । ସାରା ହୋଟେଲ ହୁତ୍ ହୁତ୍ ଜଳୁଥିବା ଦେଖି ଗୋଲା ଦମ୍ପତି ବରଡ଼ା ପତ୍ର ଭଳି ଥରିବାକୁ ଲାଗିଲେ । ଜୀବନ ବିକଳରେ ଚତୁର୍ଥ ମହଲାରୁ ତଳକୁ କୁଦି ପଡ଼ିଲେ ।

ଅନେକ ଲୋକ ଉଦ୍ଧାରକାରୀ ଦଳ ତଳେ ବିଛାଇଥିବା ମୋଟା ଗଦି ଉପରକୁ କୁଦି ବଂଚି ଯାଇଥିଲେ ।

ଦୁର୍ଭାଗ୍ୟକୁ ଗୋଲା ଦମ୍ପତି ଭୁଲ ଜାଗାରେ ପଡ଼ିଗଲେ । ଦୁହେଁ ଗୁରୁତର ଆହତ ହେଲେ । ଉଦ୍ଧାରକାଳୀ ଦଳ ଦୁହିଁଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଗଲେ । ରଜେଶ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

ବୁଧବାର ଦିନ ରାମବୀରଙ୍କ ପୁଅ ବିଶାଲଙ୍କ ନିକଟକୁ ନେପାଳରୁ ଏକ କଲ୍ ଆସିଥିଲା । ମା’ଙ୍କ ମୃତ ଖବର ପାଇଲେ । ମାତ୍ର ବାପାଙ୍କର କୌଣସି ଖବର ପାଇ ନଥିଲେ ।

ପରିବାର ଲୋକମାନେ ଚିନ୍ତାଗ୍ରସ୍ତ ଥିଲେ । ତେଣେ ରାମବୀର ହୋଟେଲରୁ ତଳକୁ କୁଦା ମାରି ଦଙ୍ଗାକାରୀଙ୍କ ହାବୁଡ଼ରେ ପଡ଼ିଗଲେ । ଦୁଇଦିନ ପରେ ରାମବୀର ନିଜକୁ ଗୋଟିଏ ରିଲିଫ୍ ଶିବିରରେ ଦେଖିବାକୁ ପାଇଲେ ।

ଇତି ମଧ୍ୟରେ ମା’ ରଜେଶଙ୍କ ମରଶରୀର ସୋନାଉଲି ସୀମାନ୍ତ ବାଟ ଦେଇ ଗାଜିଆବାଦ ଘରେ ପହଂଚିଛି ।