କରାଚି : ପାକିସ୍ତାନର କରାଚିରେ ଭୟଙ୍କର ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହେବା ସହ ୧୨ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ତଦନ୍ତରୁ ଜଣାପଡିଛି ଯେ ଏକ ଗ୍ୟାସ୍ ପାଇପ ଲାଇନ୍ରେ ହିଁ ଏହି ଭୟଙ୍କର ବିସ୍ଫୋରଣ ହୋଇଛି । ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ବିଲ୍ଡିଂଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ତେବେ କେଉଁ କାରଣରୁ ଗ୍ୟାସ୍ ପାଇପଲାଇନରେ ବିସ୍ଫୋରଣ ହେଲା ସେ ନେଇ ତଦନ୍ତ ଆରମ୍ଭ କରିଛି ଫରେନସିକ୍ ଟିମ । ସଂପୃକ୍ତ ଅଞ୍ଚଳକୁ ସିଲ କରାଯାଇଛି । ସେହିପରି ଏହି ବିସ୍ଫୋରଣରେ ବ୍ୟାଙ୍କ ବିଲଡିଂ ଏବଂ ନିକଟସ୍ଥ ପେଟ୍ରୋଲ ପମ୍ପ ନଷ୍ଟ ହୋଇଥିବା ଜଣାପଡିଛି । ବିଲଡିଂ ତଳେ ଥିବା ଡ୍ରେନରେ ଗ୍ୟାସ୍ ଜମା ହୋଇଥିବାରୁ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ।