ବଜେଟ୍ ପୂର୍ବରୁ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ଡ. ଭି. ଅନନ୍ତ ନାଗେଶ୍ଵରଙ୍କୁ ଦାୟିତ୍ଵ

ନୂଆଦିଲ୍ଲୀ : ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଡକ୍ଟର ଭି. ନାଗେଶ୍ୱରନ୍ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) ଭାବେ ନିଯୁକ୍ତ ହୋଇଛନ୍ତି । ସେ ତତ୍କାଳ ପ୍ରଭାବରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ନୂଆ ସିଇଏଙ୍କ ଉଭୟ ଅଧ୍ୟାପନା ଏବଂ ପ୍ରଶାସନିକ ଅଭିଜ୍ଞତା ରହିଛି ।

ସେ ଆଇଏଫ୍ଏମ୍ଆର ଗ୍ରାଜୁଏଟ୍ ସ୍କୁଲ ଅଫ୍ ବିଜନେସର ଡିନ୍ ଏବଂ କ୍ରିୟା ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ । ଏହା ସହ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ସାମୟିକ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ତିନିବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ କୃଷ୍ଣମୂର୍ତି ସୁବ୍ରମଣ୍ୟମ୍ ଗତବର୍ଷ ଡିସେମ୍ବରରେ ଏହି ପଦରୁ ଅବସର ନେଇଥିଲେ ।
ଅନନ୍ତ ନାଗେଶ୍ଵର ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରେ ସାମୟିକ ସଦସ୍ୟ ରହିଥିଲେ। ଏହା ବ୍ୟତୀତ ସେ ଏକାଧାରାରେ ଜଣେ ଲେଖକ, ଶିକ୍ଷକ ଏବଂ ପରାମର୍ଶଦାତା। ସେ ଭାରତର ଖ୍ୟାତାନାମା ବିଜନେସ୍ ସ୍କୁଲ ଏବଂ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍‌ର ଫେକଲ୍ଟି ରହି ସାରିଛନ୍ତି। ଏଥିସହ ସିଙ୍ଗାପୁରର ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରି ସାରିଛନ୍ତି।