ମୋଦୀ ମେହେରବାନ୍ ତୋ ଗଧା ପହିଲିମାନ୍

କଥାରେ ଅଛି, ଆଲ୍ଲା ମେହେରବାନ୍ ତୋ ଗଧା ପହିଲିମାନ୍ । କିନ୍ତୁ ଭାରତରେ ମୋଦୀ ମେହେରବାନ୍ ତୋ ଗଧା ପହିଲିମାନ୍ । ଏ କଥାଟି ଏବେ ସାରା ଭାରତର ସବୁ ଗାଁ, ସହରରେ ଶୁଣିବାକୁ ମିଳୁଛି ।

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ଜିତେନ୍ଦର ତୋମର । ଜୁନ ୯ ତାରିଖରେ ଗିରଫ ହେଲେ । ତାଙ୍କର ଅପରାଧ ଥିଲା, ୨୦୧୫ ମସିହା ଫେବୃୟାରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ମନୋନୟନ ପତ୍ର ସତ୍ୟପାଠରେ ମିଛ ତଥ୍ୟ ପ୍ରଦାନ କରିଥିଲେ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ।

୨୦୧୫ ଜୁନ ୮ ତାରିଖରେ ତାଙ୍କ ବିରୋଧରେ ଥାନାରେ ଏଫ୍ଆଇଆର୍ ଦାଖଲ କରାଗଲା । ତାଙ୍କୁ ଅପରାଧିକ ମାମଲାରେ ଫସାଇ ଦିଆଗଲା । ଗିରଫ କରାଯିବାର କିଛି ଘଂଟା ଭିତରେ ତାଙ୍କର ମନ୍ତ୍ରୀପଦ ଚାଲିଗଲା ।

ମଣିପୁର ବିଧାୟକ ଏମ୍ ପୃଥ୍ୱୀରାଜଙ୍କ କଥା ଶୁଣନ୍ତୁ । ୨୦୧୨ ବିଧାନସଭା ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ପୃଥ୍ୱୀରାଜ ଏମ୍ ବିଏ କରିଥିବା ବିଷୟ ଉଲ୍ଲେଖ କରିଥିଲେ ।

ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ମିଛ ସତ୍ୟପାଠ ଦାଖଲ କରିଥିବା ଦର୍ଶାଇ ଏକ ମାମଲା ରୁଜୁ କରାଗଲା । ମାମଲାର ବିଚାର କରି ମଣିପୁର ହାଇକୋର୍ଟ ପୃଥ୍ୱୀରାଜଙ୍କ ସଭ୍ୟପଦକୁ ଖାରଜ କରିଦେଲେ ।

ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ମିଛ ସାର୍ଟିଫିକେଟ୍ ଦାଖଲ କରି ଦୁଇଜଣ ବିଧାୟକ ସେମାନଙ୍କର ସଭ୍ୟପଦ ହରାଇଲେ ।

କିନ୍ତୁ ଦିଲ୍ଲୀ ହାଇକୋର୍ଟ ଓ ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କୀତ ସତ୍ୟପାଠ ପ୍ରତି ଆଖିବୁଜି ଦେଇଛନ୍ତି ।

ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଆଦୌ ପ୍ରଶ୍ନ କରାଯାଇ ନପାରେ, ମାତ୍ର ବିଚାରପତି ଆସନରେ ଅଧିଷ୍ଠିତ ଜଷ୍ଟିସଙ୍କ ବିଚାରଧାରା ପ୍ରତି ଆଶଙ୍କା ପ୍ରକଟ କରାଯାଇପାରେ ।