କୋଠା ଭୁଶୁଡ଼ି ୧୦ ମୃତ, ଆହୁରି ଫସିଛନ୍ତି

ମୁମ୍ବାଇ: ମହାରାଷ୍ଟ୍ର ଭିୱଣ୍ଡିରେ ଏକ ସୁଉଚ୍ଚ ଅଟାଳିକା ଭୁଶୁଡ଼ି ଯିବାରୁ ୧୦ ଜଣଙ୍କ ପ୍ରାଣହାନୀ ଘଟିଛି। ଘଟଣାସ୍ଥଳରେ ଏନଡିଆରଏଫ ଯବାନ ପହଞ୍ଚି ଏଯାଏଁ ୨୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ଭଙ୍ଗା ସ୍ଲାବ ଭିତରେ ଆହୁରି ୨୫ଜଣ ଫସି ରହିଥିବା ଜଣାପଡ଼ିଛି।

ଉଦ୍ଧାର ହୋଇଥିବା ୨୦ ଜଣକ ମଧ୍ୟରେ ଏକ ୫ ବର୍ଶର ଶିଶୁ ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଆଜି ଭୋର ୩.୪୦ ସମୟରେ ଭିୱଣ୍ଡି ପଟେଲନଗର ସ୍ଥିତ ଏହି ଅଟ୍ଟାଳିକାଟି ଭୁଶୁଡ଼ି ପଡ଼ିଥିଲା। ତିନି ମହଲା ବିଶିଷ୍ଟ ଏହି କୋଠାଟି ପ୍ରାୟ ୪୩ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଏଥିରେ ୪୦ଟି ଫ୍ଲାଟ ରହିଥିଲା ଏବଂ ମୋଟ ୧୫୦ ଲୋକ ଏହି ଅଟ୍ଟାଳିକାରେ ରହୁଥିଲେ। ତେବେ ମହାନଗର ନିଗମର କହିବାନୁଯାୟୀ ଏହି କୋଠାଟି ବିପଦଜନକ ତାଲିକାରେ ନଥିଲା।

ଅନ୍ୟପଟେ ଏହି ଅଘଟଣକୁ ନେଇ ଦୃଖଃପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଟ୍ୱିଟରରେ ଲେଖିଛନ୍ତି, ‘ମହାରାଷ୍ଟ୍ରର ଭିୱଣ୍ଡିରେ କୋଠା ଭୁଶୁଡ଼ି ଅନେକ ପ୍ରାଣ ହରାଇବା ଅତ୍ୟନ୍ତ କଷ୍ଟଦାୟକ ଘଟଣା। ଦୁଃଖର ଏହି ଘଡ଼ିରେ, ମୋର ସମବେଦନା ଏବଂ ପ୍ରାର୍ଥନା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ସହିତ ଅଛି । ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ସ୍ଥାନୀୟ କର୍ତ୍ତୃପକ୍ଷ ସମନ୍ୱୟ କରୁଛନ୍ତି’।

ସେହିଭଳି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ମହାରାଷ୍ଟ୍ରର ଭିୱଣ୍ଡିରେ କୋଠା ଭୁଶୁଡ଼ିବାରେ ମୁଁ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି’।

ମାସେ ତଳେ ମହାରାଷ୍ଟ୍ରର ରାଇଗଡ଼ରେ ସମାନଭାବେ ଏକ ପାଞ୍ଚ ମହଲା ବିଲ୍ଡିଂ ଭୁଶୁଡ଼ି ୧୩ ଜଣଙ୍କର ଜୀବନ ଯାଇଥିଲା। ଯେଉଁଥିରେ କି ୪୫ଟି ଫ୍ଲାଟ ରହିଥିଲା ଏବଂ ତାହା ମାତ୍ର ୭ ବର୍ଷ ପୁରୁଣା ଥିଲା। ତେବେ ବର୍ଷା ଦିନେ ବହୁତ ପାଣି ଜମିବା ଯୋଗୁଁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ କୋଠା ଭୁଶୁଡ଼ିବା ଘଟଣା ଲଗାତାର ସାମ୍ନାକୁ ଆସୁଛି।