‘ଅପରେସନ୍ ସିନ୍ଧୁ’କୁ ପ୍ରଶଂସା କଲେ ଇରାନରୁ ଭାରତକୁ ଫେରିଥିବା ୧୧୦ ଛାତ୍ର

ଯୁଦ୍ଧ କବଳିତ ଇରାନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ସହକାରେ ଭାରତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ‘ଅପରେସନ୍ ସିନ୍ଧୁ’ । ଏହି ଅପରେସନ୍ ଜରିଆରେ ପ୍ରଥମ ଦଫାରେ ୧୧୦ ଜଣ ଭାରତୀୟ ଛାତ୍ରଙ୍କୁ ଫେରାଇ ଅଣାଯାଇଛି ।

ଭାରତ ସରକାରଙ୍କ ସଫଳ ପ୍ରୟାସକୁ ଶତମୁଖରେ ପ୍ରଶଂସା କରି କହିଛନ୍ତି, ଆମକୁ ଆମ ଘରୁ ସୁରକ୍ଷିତ ସହକାରେ ବିମାନ ବନ୍ଦରକୁ ଆଣିଲେ, ବିମାନରେ ବସାଇଲେ, ନୂଆଦିଲ୍ଲୀ ବିମାନ ଘାଟିରେ ପହଂଚାଇ ଦେଲେ । ଇରାନ ପରିସ୍ଥିତି ଏବେ ଭାରି ଖରାପ । ସମସ୍ତଙ୍କୁ ଭୟ ଓ ଆତଙ୍କ ଆଚ୍ଛନ୍ନ କରିଚି । କେତେବେଳେ କୁଆଡୁ ମିଶାଇଲ ଆସି କୋଉଠି କାହାକୁ କିପରି କ୍ଷତିଗ୍ରସ୍ତ କରିବ, ସମସ୍ତଙ୍କ ମନରେ ଅଜଣା ଭୟ ଘର କରିଛି ।

ଅଫ୍ସା ନାମକ ଜଣେ ଛାତ୍ରୀ କହିଛନ୍ତି, ଭାରତ ସରକାର ଆମକୁ ଆମ ହଷ୍ଟେଲରୁ ସୁରକ୍ଷିତ ଭାବେ ଆଣି ଆମ ଦେଶରେ ପହଂଚାଇ ଦେଲେ ଯାହା ଆମେ କଳ୍ପନା କରି ନଥିଲୁ । ଆମକୁ ଏବେ ଆମ ପାଠ ପଢ଼ିବା ପ୍ରତି ଚିନ୍ତା ନାହିଁ । ଭାରତ ସରକାର ଆମକୁ ପ୍ରତି ସମୟରେ ସାହାଯ୍ୟ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିକଟରେ ଆମେ ଚିର ଋଣୀ ।