୧୦ ଦିନ ଭିତରେ ଯମୁନା ନଦୀରୁ ୧୩୦୦ ଟନ୍‌ ଅଳିଆ କଢ଼ାଗଲାଣି

ନୂଆଦିଲ୍ଲୀ: ଦିଲ୍ଲୀର ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ପରବେଶ ବର୍ମା ବୁଧବାର ଦିନ ଯମୁନା ନଦୀକୁ ଡଙ୍ଗାରେ ବାହାର କରିଥିଲେ । ନଦୀର ବିଭିନ୍ନ ଘାଟକୁ ପରିଦର୍ଶନ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ତାଙ୍କ ସରକାରଙ୍କ ସଫଳତା ବଖାଣିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ଦିନ ଭିତରେ ଯମୁନା ନଦୀରୁ ପ୍ରାୟ ୧୩୦୦ ଟନ୍‌ ଅଳିଆ ଆବର୍ଜନା କଢ଼ାଯାଇଛି । ଯମୁନା ନଦୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆମର ନିର୍ବାଚନ ଇସ୍ତାହାର ଥିଲା ଯାହାକୁ ଆମେ ପାଳନ କରିବାକୁ ସଂକଳ୍ପବଦ୍ଧ । ୨୦୨୩ ମସିହାରେ ଯମୁନାରେ ନାହିଁ ନଥିବା ବନ୍ୟା ଆସିଥିଲା । ସେତେବେଳେ ବନ୍ୟା ଫାଟକଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା । ସରକାର ଏବେ ସେଗୁଡ଼ିକର ମରାମତି ଆରମ୍ଭ କରିଛନ୍ତି ଯାହା ଆଗାମୀ ବନ୍ୟାକୁ ରୋକିବାର ଯଥେଷ୍ଟ ସହାୟକ ହେବ ।