ଗାନ୍ଧୀନଗର: ରବିବାର ସନ୍ଧ୍ୟାରେ ଗୁଜରାଟର ମୋର୍ବି ଅଂଚଳରେ ଘଟି ଯାଇଥିବା ହୃଦୟ ବିଦାରକ ଭାସମାନ ପୋଲ ଦୁର୍ଘଟଣାର ପ୍ରାଥମିକ ତଦନ୍ତ କରି ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଊଛି । ଅଭିଯୁକ୍ତଙ୍କୁ ପ୍ରଥମେ ଥାନାକୁ ଡକା ଯାଇଥିଲା । କିଛି ସମୟ ଜେରା କରାଯିବା ପରେ ସମସ୍ତଙ୍କୁ ଗିରଫ କରାଯାଇଛି ।
ଦୁର୍ଘଟଣାର ଶିକାର ହୋଇଥିବା ପୋଲଟି ୧୪୩ ବର୍ଷର । ରବିବାର ସନ୍ଧ୍ୟାଠାରୁ ସୋମବାର ସନ୍ଧ୍ୟା ହୋଇଗଲାଣି; ତଥାପି ଉଦ୍ଧାର କାର୍ଯ୍ୟ ସରିନାହିଁ । ପ୍ରାୟ ୭ ମାସ ଧରି ପୋଲଟିର ମରାମତି କାମ ଚାଲିଥିଲା । ଦୀପାବଳି ପୂର୍ବଦିନ ପୋଲଟିକୁ ନିୟମିତ ବ୍ୟବହାର ପାଇଁ ଖୋଲି ଦିଆଯାଇଥିଲା ।
୭୬୫ ଫୁଟ ଲମ୍ବ ଓ ୪ ଫୁଟ ଓସାର ଭାସମାନ ପୋଲଟିକୁ ନିର୍ମାଣ କରାଇଥିଲେ ମୋର୍ବି ରାଜା ବାଘଜୀ ରାଓଜୀ । ୧୮୭୯ରେ ଉଦ୍ଘାଟିତ ପୋଲର ଏକମାତ୍ର ଉଦ୍ଦେଶ୍ୟ ଥିଲା ଦରବାରଗଡ଼ ପ୍ୟାଲେସକୁ ନଜରବାଗ ପ୍ୟାଲେସ୍ ସହିତ ଯୋଡ଼ିବା । ୧୯୨୨ ପର୍ଯ୍ୟନ୍ତ ଶାସନ କରିଥିଲେ ବାଘଜୀ ଠାକୋର ।
ରାଜଧାନୀ ଗାନ୍ଧୀନଗରଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ମଛୁନଦୀ ଉପରେ ନିର୍ମିତ ଭାସମାନ ପୋଲଟି ୭ ମାସ ଧରି ବନ୍ଦ ଥିଲା । ଅଜନ୍ତା ମାନୁଫାକ୍ଚରିଂ ଉକ୍ତ ପୋଲର ମରାମତି ଦାୟିତ୍ୱ ବହନ କରିଥିଲା; ମାତ୍ର ସେ ଆଉ ଗୋଟିଏ ସଂସ୍ଥାକୁ ଦାୟିତ୍ୱ ହସ୍ତାନ୍ତର କରିଥିବାର ଶୁଣିବାକୁ ମିଳିଛି ।
ଅଜନ୍ତା ଗ୍ରୁପ ବିଭିନ୍ନ ପ୍ରକାର ଘଡ଼ି, ଏଲ୍ଇଡି ଲାଇଟ୍, ସିଏଫ୍ଏଲ୍ ବଲ୍ବ, ଇ-ବାଇକ୍ ନିର୍ମାଣ କରିଥାଏ । ଉକ୍ତ ଗ୍ରୁପ କେବେ ନିର୍ମାଣ କ୍ଷେତ୍ରରେ କାମ କରିଥିବାର ପ୍ରମାଣ ନାହିଁ । ପ୍ରଶାସନ ଉକ୍ତ ଗ୍ରୁପର କୋଉ ଅଭିଜ୍ଞତା ପ୍ରତି ଦୃଷ୍ଟି ଦେଇ ପୋଲ ମରାମତି ଦାୟିତ୍ୱ ଦେଇଥିଲେ; ତାହା ତଦନ୍ତ ସାପେକ୍ଷ । ମୃତ ଲୋକଙ୍କ ଭିତରେ ଅଧିକାଂଶ ପିଲା ଅଛନ୍ତି । ଭଙ୍ଗା ପୋଲରେ ଲୋକମାନେ ଝୁଲି ରହିଥିବାର ଦେଖିବାକୁ ମିଳିଥିଲା ।
ସେମାନଙ୍କ ଭିତରୁ ଜଣେ ଜଣେ ନଦୀ ଗର୍ଭକୁ ଖସୁଥିବାର ଦେଖି ଅନେକଙ୍କ ଆଖିରୁ ଲୁହ ବାହାରି ଆସୁଥିଲା । ବିପଦଗ୍ରସ୍ତ ଲୋକଙ୍କୁ କରୁଣ ଦୃଷ୍ଟିରେ ଦେଖିବା ଛଡ଼ା ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରେ ଅନ୍ୟ ବାଟ ନଥିଲା । ତେବେ କିଛି ଲୋକ ଡଙ୍ଗାରେ ଯାଇ ବିପନ୍ନଙ୍କୁ ଉଦ୍ଧାର କରିଥିଲେ । ରାଜକୋଟ ସାଂସଦ ମୋହନ କୁନ୍ଦରିୟାଙ୍କର ପରିବାରର ୧୨ ଜଣ ଉକ୍ତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କୁନ୍ଦରିୟାଙ୍କର ବଡ଼ଭାଇଙ୍କର ଚାରିଝିଅ, ସେମାନଙ୍କ ଭିତରୁ ତିନି ଜଣଙ୍କର ସ୍ୱାମୀ ଓ ୫ଟି ପିଲା ଅକାଳରେ ପ୍ରାଣ ହରାଇଛନ୍ତି ।