ଭାରତବାସୀ ଦେଖିପାରିଲେନି ୬ ମିନିଟ୍‌ର ସୂର୍ଯ୍ୟପରାଗ

ଭାରତ ଉହାଡ଼ରେ ଶେଷ ହୋଇଯାଇଛି ଏକବିଂଶ ଶତାବ୍ଦୀର ବିରଳ ସୂର୍ଯ୍ୟପରାଗ । ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଗତି କରିଥାଏ । ଚନ୍ଦ୍ରର ଯୋଉ ଛାଇ ପୃଥିବୀ ଉପରେ ପଡ଼େ, ତାହା ହିଁ ସୂର୍ଯ୍ୟପରାଗ ।

ଶନିବାରର ସୂର୍ଯ୍ୟପରାଗ ପାଇଁ ଭାରତୀୟମାନେ ସୂତକ କାଳ ପାଳନ କରିନାହାନ୍ତି । ନାସା ସୂଚନା ମୁତାବକ ଗତକାଲି ୬ ମିନିଟ୍ ପାଇଁ ସୂର୍ଯ୍ୟ ପରାଗ ଘଟିଥିଲା । ଏହି ସୂର୍ଯ୍ୟପରାଗକୁ ମଧ୍ୟପ୍ରାଚ୍ୟ, ଆଫ୍ରିକା ମହାଦେଶର ଉତରାଂଚଳ ଓ ୟୁରୋପର ଦକ୍ଷିଣାଂଚଳ ପୂର୍ଣ୍ଣତଃ ଉପଭୋଗ କରିଛନ୍ତି । ସୋମାଲିଆ, ସାଉଦି ଆରବ, ଜିବ୍ରାଲଟର, ସ୍ପେନ୍‌, ଆଲଜେରିଆ, ମରକ୍‌କୋ, ଟୁନିସିଆ, ସୁଦାନ, ଲିବିୟା, ଉଜିପ୍ଟ ଓ ୟେମେନ ଉପର ଦେଇ ଚନ୍ଦ୍ରର ଛାଇ ଅତିକ୍ରମ କରିଥିଲା ।

ସୂର୍ଯ୍ୟପରାଗ ହେଉ ଅବା ଚନ୍ଦ୍ରଗ୍ରହଣ । ସୂତକ କାଳ ଭିତରେ କୌଣସି ଖାଦ୍ୟପାନୀୟ ଗ୍ରହଣକୁ ବାରଣ କରାଯାଇଥାଏ । ଗର୍ଭବତୀ ମହିଳାଙ୍କୁ ଘର ଭିତରେ ରହିବାକୁ ପଡ଼ିଥାଏ । ସୂର୍ଯ୍ୟପରାଗ ଅବା ଚନ୍ଦ୍ରଗ୍ରହଣ ପରେ ଗାଧୋଇବାର ବିଧି ରହିଛି । ସୂତକ କାଳରେ ମନ୍ଦିର ବନ୍ଦ ରହେ ଓ ପୂଜାର୍ଚ୍ଚନା କରାଯାଏନା । ଅଗଷ୍ଟ ୨ ତାରିଖରେ ଅନୁଷ୍ଠିତ ସୂର୍ଯ୍ୟପରାଗ ଭାରତକୁ ଦୃଶ୍ୟମାନ ହେଉ ନଥିବାରୁ ସୂତକ ପାଳନ କରାଯାଇ ନଥିଲା । ପରବର୍ତୀ ସୂର୍ଯ୍ୟପରାଗ ସେପ୍ଟେମ୍ବର ୨୧ ତାରିଖ ଦିନ ପଡ଼ିବ । ସେହି ସୂର୍ଯ୍ୟପରାଗ ମଧ୍ୟ ଭାରତକୁ ଦୃଶ୍ୟମାନ ହେବନି, ତେଣୁ ସୂତକ କାଳ ପାଳନ କରାଯିବନି । ମାତ୍ର ସେହି ସୂର୍ଯ୍ୟପରାଗ ଏକବିଂଶ ଶତାବ୍ଦୀର ଦୀର୍ଘକାଳୀନ ସୂର୍ଯ୍ୟପରାଗ ହେବ ବୋଲି ଜ୍ୟୋତିର୍ବିଦମାନେ ପୂର୍ବାନୁମାନ କରିଛନ୍ତି ।

ନ୍ୟୁଜିଲାଣ୍ଡ, ଫିଜି, ଆଂଟାର୍କଟିକା ଓ ଅଷ୍ଟ୍ରେଲିଆର କେତେକାଂଚଳକୁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ସେପ୍ଟେମ୍ବର ୨୫ ତାରିଖ ଦିନ ରାତି ୧୧ଟାରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ତାହା ରାତି ୩ଟା ୨୩ ମିନିଟ୍ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ।