୨୦ ଭାରତ ବିରୋଧୀ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଭାରତରେ ବନ୍ଦ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶ ବିରୋଧରେ ପ୍ରଚାର କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଛନ୍ତି । ଆଇଟି ଆକ୍ଟରେ ସମ୍ପ୍ରତି ଅନ୍ତର୍ଭୁକ୍ତ ନିର୍ଦ୍ଦେଶାବଳୀ ଆଧାରରେ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ବ୍ୟାନ କରାଯିବା ସହ ଦୁଇଟି ୱେବସାଇଟ୍‌ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏହି ଚ୍ୟାନେଲ ଏବଂ ୱେବସାଇଟ ପାକିସ୍ତାନରୁ ଭାରତ ବିରୋଧରେ ପ୍ରଚାର ପ୍ରସାର କରୁଥିଲେ । ପ୍ରକାଶ ଯେ ପ୍ରସାରଣ ମନ୍ତ୍ରଣାଳୟର ସଚିବ ୟୁଟ୍ୟୁବ ଏବଂ ଟେଲିକମ୍‌ ବିଭାଗକୁ ଏହି କଣ୍ଟେଟକୁ ତୁରନ୍ତ ବ୍ଲକ୍‌ କରିବାକୁ ଲେଖିଛନ୍ତି । କାରଣ ଏହା ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା ଉପରେ ପ୍ରଭାବ ପକାଉଛି ।

ପାକିସ୍ତାନର ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ ସହାୟତାରେ ଏହି ପ୍ରଚାର ପ୍ରସାର କରାଯାଉଥିଲା । ଖବର ଅନୁଯାୟୀ ଏହି ଚ୍ୟାନେଲ୍‌ କାଶ୍ମୀର, କୃଷି ଆଇନ ତଥା ଅଯୋଧ୍ୟା ଭଳି ପ୍ରସଙ୍ଗରେ ମିଥ୍ୟା ଖବର ଚଳାଉଥିଲା । ସୁରକ୍ଷା ଏଜେନ୍ସିମାନେ ପ୍ରଥମେ ଏହି କଣ୍ଟେଟ୍‌ ବିଷୟରେ ସୂଚନା ଦେଇଥିଲେ ଯାହା ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନୁସନ୍ଧାନ କରିଥିଲା । ଜଣେ ଅଧିକାରୀ କହିଛନ୍ତି ଆଇଟି ନିୟମ ଅନୁଯାୟୀ ୨୦୨୧ ମସିହାରେ ଜରୁରୀକାଳୀନ ଶକ୍ତି ଭାରତ ବିରୋଧୀ ପ୍ରଚାର ୱେବସାଇଟକୁ ନିଷିଦ୍ଧ କରିବା ପାଇଁ ଏହା ପ୍ରଥମଥର ପାଇଁ ବ୍ୟବହୃତ ହୋଇଛି । ଅନୁସନ୍ଧାନରୁ ଜଣାପଡିଛି ଏହି ୱେବସାଇଟ୍‌ ଓ ଚ୍ୟାନେଲଗୁଡିକ ପାକିସ୍ତାନରୁ ପରିଚାଳିତ ହେଉଥିଲା ।