ନୂଆଦିଲ୍ଲୀ: ଗୋଲାପୀ ରଙ୍ଗର ୨୦୦୦ ଟଙ୍କିଆ ନୋଟ୍ ଆଉ ଚଳୁନି। ୨୦୨୩ ମସିହାରୁ ଏହି ନୋଟ୍ ପ୍ରଚଳନ ଉପରେ ରୋକ୍ ଲଗାଯାଇଛି। ମାତ୍ର ଏବେ ଯଦି ଆପଣଙ୍କ ଘରୁ ଏହି ନୋଟ୍ ଭୁଲରେ ମିଳିଯାଏ, ତା’ ହେଲେ କଣ କରିବେ? ସାଧାରଣତଃ ଆମେ ଘର ଲୋକଙ୍କୁ ଲୁଚାଇ ଏହି ଟଙ୍କା ରଖିଥାଉ। ମାତ୍ର ଠିକ୍ ସମୟରେ ଟଙ୍କା ମିଳି ନଥାଏ। ଠିକ୍ ସେହିପରି ଯଦି ଭୁଲରେ ଆପଣ କେଉଁଠାରେ ଏହି ୨୦୦୦ ହଜାର ଟଙ୍କିଆ ନୋଟ୍ ରଖିଥିବେ ଆଉ ଏବେ ଯଦି ମିଳେ ତା’ ହେଲେ କଣ କରିବେ?
ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ମୁତାବକ, ୨ ହଜାର ଟଙ୍କା ନୋଟ୍ ମଧ୍ୟରୁ ୯୮.୪୧ ପ୍ରତିଶତ ଟଙ୍କା ବ୍ୟାଙ୍କକୁ ଆସିଛି। ଏବେ ମଧ୍ୟ ଅନେକ ଟଙ୍କା ବ୍ୟାଙ୍କକୁ ଆସିନି। କିନ୍ତୁ ଯଦି ଆପଣଙ୍କ ପାଖରେ ଯଦି ୨୦୦୦ ହଜାର ଟଙ୍କିଆ ନୋଟ୍ ଅଛି ତା’ ହେଲେ ଭୟଭୀତ ହେବାର କୌଣସି କାରଣ ନାହିଁ। ଯଦିଓ ଏହି ନୋଟ ଏବେ ପ୍ରଚଳିତ ହେଉନାହିଁ କିନ୍ତୁ ଏହା ଏବେ ମଧ୍ୟ ଆଇନଗତ ରହିଥିବା ଆରବିଆଇ ସ୍ପଷ୍ଠ କରିଛି। ସାଧାରଣ ବ୍ୟାଙ୍କ ଶାଖା ଗୁଡ଼ିକରେ ଏହି ନୋଟ୍କୁ ବଦଳାଇବା ପାଇଁ ଆର୍ବିଆଇ ୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସମୟ ଦେଇଥିଲା। ଲୋକେ ନିର୍ଦ୍ଧାରିତ ସମୟ ମଧ୍ୟରେ ନୋଟକୁ ଡିପୋଜିଟ୍ କରିଥିଲେ। ମାତ୍ର ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଯେକୌଣସି ଇସ୍ୟୁ ଅଫିସକୁ ଯାଇ ଆପଣ ଏହି ଟଙ୍କାକୁ ଡିପୋଜିଟ୍ କରିପାରିବେ। କିନ୍ତୁ ଆପଣଙ୍କ ପରିଚୟ ପତ୍ର ଯାଂଚ୍ ହେବା ପରେ ଏସବୁ ସମ୍ଭବ ହୋଇପାରିବ। ଏହା ସହ ଆପଣଙ୍କ ବ୍ୟାଙ୍କିଂ ମାନଦଣ୍ଡକୁ ମଧ୍ୟ ପରଖାଯିବ। ଏହା ସହ ଆପଣ ପୋଷ୍ଟାଲରେ ମଧ୍ୟ ଏହି ନୋଟକୁ ଜମା କରିପାରିବେ। ମାତ୍ର ସମ୍ପୂର୍ଣ୍ଣ ତଥ୍ୟ ଯାଂଚ୍ ହେବା ପରେ ଏହି ଅର୍ଥ ଆପଣଙ୍କ ଆକାଉଂଟ୍କୁ ଯିବ। ଯଦିଓ ଏବେ ଏହି ନୋଟ୍ ସକ୍ରିୟ ଭାବେ ପ୍ରଚଳନ ହେଉନାହିଁ ମାତ୍ର ଏହା ଆଇନଗତ।
ସୂଚନାଯୋଗ୍ୟ, ୨୦୧୬ରେ ବିମୁଦ୍ରୀକରଣ ପରେ ନୂଆ ୫ ଶହ ଟଙ୍କିଆ ଏବଂ ୨ ହଜାର ଟଙ୍କିଆ ବଜାରକୁ ଆସିଥିଲା। ପ୍ରଥମେ ୨ ହଜାର ଟଙ୍କିଆ ଆସିଥିବା ବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି ବଜାରରେ ବହୁ ନକଲି ନୋଟ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୧୬ ନଭେମ୍ବର ମାସରେ ନୂଆ ୨ ହଜାର ଟଙ୍କିଆ ନୋଟ ପ୍ରଚଳିତ ହୋଇଥିବା ବେଳେ ୭ ବର୍ଷ ପୂରଣ ନ ହେବା ଆଗରୁ ଏହା ବନ୍ଦ ହେବାକୁ ଯାଉଛି। ୨୦୧୮ ମସିହା ପରଠାରୁ ୨ ହଜାର ଟଙ୍କିଆ ନୋଟ ଛପା ବନ୍ଦ ହୋଇଯାଇଥିବା ବେଳେ ଏହା ବଜାରରୁ ଏକ ପ୍ରକାର ଅଦୃଶ୍ୟ ହୋଇଯାଇଥିଲା। ଏଟିଏମ୍ରୁ ମଧ୍ୟ ଏହି ନୋଟ ବାହାରି ନଥିଲା।