ଷ୍ଟକହୋମ: ଫ୍ରେଞ୍ଚ ମାଇକ୍ରୋବାୟୋଲୋଜିଷ୍ଟ ଇମାନୁଏଲ୍ ଚାର୍ପେଣ୍ଟିଅର୍ ଏବଂ ଆମେରିକୀୟ ପ୍ରଧ୍ୟାପିକା ଜେନିଫର୍ ଏ ଡୁଡନା ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇବେ। ଏନେଇ ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଘୋଷଣା କରାଯାଇଛି।
ଜେନୋମ ଏଡିଟିଂ ପାଇଁ ଏକ ପଦ୍ଧତିର ବିକାଶ ପାଇଁ ଇମାନୁଏଲ୍ ଏବଂ ଜେନିଫରଙ୍କୁ ଏହି ଉଚ୍ଚ ସମ୍ମାନରେ ସମ୍ମାନିତ କରାଯିବ। ସେମାନଙ୍କୁ ପୁରସ୍କାର ରାଶି ଆକାରରେ 10 ମିଲିୟନ୍ ସ୍ୱିଡେନ କ୍ରାଉନ ବା 1.1 ମିଲିଅନ ଆମେରିକୀୟ ଡଲାର ପ୍ରଦାନ କରାଯିବ।
‘ଏହି ପଦ୍ଧତି ଜୀବ ବିଜ୍ଞାନ ଉପରେ ଏକ ବୈପ୍ଳବିକ ପ୍ରଭାବ ପକାଇଛି, ନୂତନ କର୍କଟ ଚିକିତ୍ସାରେ ଏହା ସହାୟକ ହେଉଛି ଏବଂ ବଂଶଗତ ରୋଗକୁ ଭଲ କରିବାର ସ୍ୱପ୍ନକୁ ଏହା ସାକାର କରିପାରେ’ ବୋଲି ଏକାଡେମୀ ପକ୍ଷରୁ ବିବୃତିରେ କୁହାଯାଇଛି।