୨୦୨୪ ନିର୍ବାଚନ ଦେବ ନୂଆ ପ୍ରଧାନମନ୍ତ୍ରୀ: ଆଚାର୍ଯ୍ୟ ଧର୍ମରାଜ

ଦେଶକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ । ଆଗାମୀ ଲୋକସଭା ନିର୍ବାଚନ ଦେଶକୁ ନୂଆ ପ୍ରଧାନମନ୍ତ୍ରୀଟିଏ ଦେବାକୁ ଯାଉଛି । ମୋଦିଙ୍କ ନିକଟରେ ଯୋଉ ଯୋଗ୍ୟତା ଆଉ ଦକ୍ଷତା ନାହିଁ । ସେହି ଦକ୍ଷତା ଆଉ ଯୋଗ୍ୟତାର ଅଧିକାରୀ ଦେଶକୁ ନେତୃତ୍ୱ ଦେବେ । ଏ ଭବିଷ୍ୟବାଣୀ କରିଛନ୍ତି ଆଚାର୍ଯ୍ୟ ଧର୍ମରାଜ । ସେ କହିଛନ୍ତି, ଦେଶରେ ୮୦ କୋଟିରୁ ଅଧିକ ଚା’ ବିକାଳି ଅଛନ୍ତି । ସେମାନଙ୍କ ଭିତରୁ ଜଣକୁ ମୋଦିଙ୍କ ଉତରାଧିକାରୀ ବାଛିବାରେ ବିଜେପିର ଅସୁବିଧା କ’ଣ? ତୃତୀୟ ଥର ପାଇଁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରି ବିଜେପି ହ୍ୟାଟ୍ରିକ ଅର୍ଜନ କରିପାରେ । ମାତ୍ର ସେଥିରେ ଦେଶର ୧୪୦ ଜନତାଙ୍କୁ କ’ଣ ମିଳିବ ।

ବିକାଶ ଆଳରେ ୧୪୦ କୋଟି ଲୋକଙ୍କ ମୁଣ୍ଡରେ ୧୫୦ ଲକ୍ଷ କୋଟି ଟଙ୍କା ଋଣ ଲଦି ଦେବା କାମ କେବଳ ବିଜେପି ହିଁ କରିପାରେ । କଂଗ୍ରେସକୁ ଦୁର୍ବଳ କରି କ୍ଷମତା ଉପଭୋଗ କରିବା ଚକ୍କରରେ ବିଜେପି ଗୋଟିଏ ପରେ ଗୋଟିଏ ଭୁଲ କରିଚାଲିଛି । ଦେଶରେ ପ୍ରଧାନମନ୍ତ୍ରୀ ହେବା ପାଇଁ ଆଉ ଯୋଗ୍ୟ ଲୋକ ନାହାନ୍ତି; ଦେଶର ଗ୍ରାମାଂଚଳରୁ ସହରାଂଚଳ ପର୍ଯ୍ୟନ୍ତ ଏମିତି ଏକ ହାୱା ବହୁଛି । ବିଜେପିର ସବୁ ନେତା ଓ କର୍ମୀମାନେ ସେ ହାୱାକୁ ବାଟ କଢ଼ାଇ ନେଉଛନ୍ତି ।

ସତେ ଯେପରି ଭାରତର ପାଣି ପବନ ଓ ମାଟିରୁ ବୀର ସନ୍ତାନ ଜନ୍ମ ନେବାର ବାଟ ବନ୍ଦ କରିଦେଇଛି ବିଜେପି । ବୀର ପ୍ରସବିନୀ ଭାରତ ତା’ କୋଳରେ ୧୩୫ କୋଟି ଦୁର୍ବଳଙ୍କୁ ଆଶ୍ରୟ ଦେଇଛି । ତା’ର ମାନେ ଭାରତର ପାଣି ପବନ ମାଟିରେ ଆଉ ବୁଦ୍ଧିମାନ ପିଲା ସୃଷ୍ଟି କରିବାର ତାକତ୍‌ ନାହିଁ । ଭାରତ ମାତାକୁ ଏପରି ଦୁର୍ବଳ କରିବା ପଛରେ ବିଜେପି ଦାୟୀ ନୁହେଁ ତ? ବିଜେପି କହିବା ଅନୁସାରେ ନରେନ୍ଦ୍ର ମୋଦିଙ୍କୁ ଜନ୍ମ ଦେବା ପରଠାରୁ ବୀର ପ୍ରସବିନୀ ଭାରତ ଆଉ ଯୋଗ୍ୟ ପିଲା ଜନ୍ମ ଦେବା ବନ୍ଦ କରିଦେଇଛି । ସେଇଥିପାଇଁ ତ ବିଜେପି ପ୍ରଚାର କରୁଛି ଯେ ଦେଶରେ ମୋଦିଙ୍କ ଉତରାଧିକାରୀ ଅଭାବ ।

ଏ ପ୍ରକାର ଅପପ୍ରଚାର କରି ଦେଶବାସୀଙ୍କୁ ବୋକା ବନାଇ ପାରିବନି ବିଜେପି । ମୋଦିଙ୍କଠାରୁ ଯଥେଷ୍ଟ ଯୋଗ୍ୟ ଲୋକ ଅଛନ୍ତି ଯୋଉମାନଙ୍କ ପାଖରେ ଦେଶକୁ ନେତୃତ୍ୱ ନେବାର ଯଥେଷ୍ଟ ଦକ୍ଷତା ରହିଛି । ଦୁଇପାଳି ପ୍ରଧାନମନ୍ତ୍ରୀ ରହିବା ଭିତରେ ମୋଦି ସେଭଳି କିଛି ବିରାଟ ସଫଳତା ହାସଲ କରିନାହାନ୍ତି।

ରାହୁଲ ଗାନ୍ଧୀଙ୍କ ଅହଂକାର ବିଜେପିକୁ କ୍ଷମତାସୀନ କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସଖି କଣ୍ଢେଇ ଭଳି ନଚାଇବାର ପରିଣାମ କଂଗ୍ରେସ ଭୋଗୁଛି । ତା’ମାନେ ନୁହେଁ ଯେ ବିଜେପିକୁ କ୍ଷମତାଚ୍ୟୁତ କରିବା ଭଳି ତାକତ୍‌ ଭାରତର ଆଉ କୌଣସି ଦଳ ନିକଟରେ ନାହିଁ । ଆଗାମୀ ଲୋକସଭା ନିର୍ବାଚନ ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ଦେବ । ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି; ମାତ୍ର ସେ କ୍ଷମତା ଅତି ବେଶିରେ ୬ ମାସ ପାଇଁ । ୬ ମାସ ଭିତରେ ସମୟର ଚକ ବୁଲିଯିବ, ମୋଦି କ୍ଷମତାରୁ ତଡ଼ା ଖାଇବେ । ଦେଶକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ ।